ଢାକା: ବାଂଲାଦେଶ ବିପକ୍ଷରେ ବିଜୟରୁ ଟି୨୦ ଅଭିଯାନ ଆରମ୍ଭ କରିଛି ଭାରତ । ଢାକାସ୍ଥିତ ଶେର-ଏ-ବଙ୍ଗଳା ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ ୭ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହା ସହିତ ଭାରତୀୟ ଦଳ ମଧ୍ୟ ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ମହିଳା ଦଳ ନିର୍ଦ୍ଧାରିତ ୨୦ ଓଭରରେ ଭାରତ ସମ୍ମୁଖରେ ୧୧୫ ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା । ଯାହାକୁ ମାତ୍ର ୩ ୱିକେଟ୍ ବିନିମୟରେ ୧୬.୨ ଓଭରରେ ବିଜୟ ହାସଲ କରିନେଇଛି ଭାରତୀୟ ମହିଳା ଦଳ । ଅଧିନାୟକ ହରମନପ୍ରୀତ କୌର ମାତ୍ର ୩୫ ବଲରୁ ୪ ଚୌକା ଓ ୬ ଛକା ସହିତ ଅପରାଜିତ ୫୪ର ମ୍ୟାଚ୍ ବିଜୟୀ ପାଳି ଖେଳି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଘରୋଇ ବାଂଲାଦେଶ ଦଳୀୟ ସ୍କୋର୍ ୨୭ ରନ୍ ହୋଇଥିବା ବେଳେ ପ୍ରଥମ ୱିକେଟ୍ ଭାବେ ଓପନର ସମିମା ସୁଲତାନାଙ୍କୁ ହରାଇଥିଲା । ସେ କେବଳ ୧୭ ରନ୍ କରି ପାଭିଲିୟନ ଫେରିଥିଲେ । ଅନ୍ୟତମ ଓପନର ସାଥି ରାନୀ ୨୨ ରନର ପାଳି ଖେଳି ପାଭିଲିୟନ ଫେରିଥିଲେ । ଏହାପରେ କିଛି ସମୟ ପାଳି ସମ୍ଭାଳୁଥିବା ଶୋଭନା ମୋସ୍ତାରୀ ୨୩ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ନିଗାର ସୁଲତାନା କେବଳ ୨ ରନ କରି ରନ୍ ଆଉଟ୍ ହୋଇଥିଲେ । ସେହିଭଳି ରିତୁ ମୋନୀ ମଧ୍ୟ ୧୧ ରନ କରି ରନ୍ ଆଉଟ୍ ହୋଇଥିଲେ । ଅନ୍ୟପଟେ ୨୮ ବଲରୁ ୨୮ ରନର ଅପରାଜିତ ପାଳି ଖେଳି ଦଳୀୟ ସ୍କୋର୍କୁ ୧୧୪ ରନରେ ପହଞ୍ଚାଇଥିଲେ ସୋର୍ନା ଅଖ୍ତର । ଭାରତ ପକ୍ଷରୁ ପୂଜା ବସ୍ତ୍ରକର, ମିନ୍ନୁ ମାନି ଓ ଶେଫାଳୀ ବର୍ମାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।