କଟକ: ବାତିଲ ହୋଇପାରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଟି-୨୦ ମ୍ୟାଚ୍ । କଟକର ବାରବାଟୀ ଷ୍ଟାଡିୟମରେ ଫେବୃଆରୀ ୧୫ରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ଦେଶ ତଥା ରାଜ୍ୟର COVID-19 ସଂକ୍ରମଣ ସ୍ଥିତି ଯୋଗୁଁ ବଦଳିପାରେ ଭାରତ-ୱେଷ୍ଟଇଣ୍ଡିଜ ସୀମିତ ଓଭର ସିରିଜର ଭେନ୍ୟୁ ସୂଚୀ ।
COVID ମହାମାରୀର ତୃତୀୟ ଲହର ଭୟାଭୟତାକୁ ଆଶଙ୍କା କରି ଭାରତୀୟ କ୍ରିକେଟ ବୋର୍ଡ(BCCI)ର ଟୁର୍, ଫିସଚର୍ସ ଓ ଟେକ୍ନିକାଲ କମିଟି ସୀମିତ ଓଭର ସିରିଜର ସମସ୍ତ ୬ଟି ମ୍ୟାଚ୍ କେବଳ ଦୁଇଟି ଭେନ୍ୟୁ- ଅହମ୍ମଦାବାଦ ଓ କୋଲକାତାରେ ଆୟୋଜନ ପାଇଁ ବୋର୍ଡକୁ ସୁପାରିଶ କରିଛି । ଫଳରେ BCCI ଦିନେ ଦୁଇଦିନ ମଧ୍ୟରେ ଚୁଡାନ୍ତ ଭେନ୍ୟୁ ସୂଚୀ ଘୋଷଣା କରିବାର ସମ୍ଭାବନା ରହିଛି । ଯଦି BCCI କମିଟିର ସୁପାରିଶକୁ ଗ୍ରହଣ କରେ, ତେବେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ପ୍ରଥମ ଟି-୨୦ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଓଡିଶା କ୍ରିକେଟ ଆସୋସିଏସନ(OCA) ପକ୍ଷରୁ ବାରବାଟୀରୁ ମ୍ୟାଚ୍ ସ୍ଥାନାନ୍ତର ସମ୍ଭାବନା ନେଇ କୌଣସି ସୂଚନା ଜାତୀୟ ବୋର୍ଡ ପକ୍ଷରୁ ମିଳିନଥିବା କୁହାଯାଇଛି ।