ହାଇଦ୍ରାବାଦ: ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ । ସିରିଜ ହାତେଇବା ଲକ୍ଷ୍ୟରେ ଦୁଇ ଦଳ। ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚରେ ବିଜୟୀ ହୋଇଥିବା ବେଳେ 1-1ରେ ସିରିଜ ବରାବର ରହିଛି । ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରି ସିରିଜ ବିଜୟୀ ହେବା ପାଇଁ ଜୋରଦାର ଉଦ୍ୟମ କରିବେ ଦୁଇ ଦଳ । ପ୍ରଥମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲା । ତେଣୁ ତୃତୀୟ ମ୍ୟାଚରେ ସବୁ ଭୁଲକୁ ସୁଧାରି ଫର୍ମକୁ ଫେରିବ ବୋଲି ଆଶା ରଖିଛନ୍ତି ଟିମ ଇଣ୍ଡିଆ । ସେପଟେ ଓ୍ବେଷ୍ଟଇଣ୍ଡିଜ ମଧ୍ୟ ଭାରତକୁ ମାତ ଦେଇ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ।
ଦଳକୁ ଫେରିପାରନ୍ତି କୋହଲି-ରୋହିତ:ଦଳରେ ଯୁବ ଖେଳାଳିଙ୍କୁ ସ୍ଥାନ ଦିଆଯାଇଥିବା ବେଳେ ପ୍ରଥମ ମ୍ୟାଚରେ ଅତି ସହଜରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା ଭାରତ । କିନ୍ତୁ ଦ୍ବିତୀୟ ମ୍ୟାଚ୍ରେ ଏହା ଭାରି ପଡ଼ିଥିଲା । ଚୂଡ଼ାନ୍ତ ଏକାଦଶରୁ ବରିଷ୍ଠଙ୍କୁ ବିଶ୍ରାମ ଦେବା ମହଙ୍ଗା ସାବ୍ୟସ୍ତ ହୋଇଥିଲା । ବିରାଟ କୋହଲି ଓ ରୋହିତ ଶର୍ମା ଦ୍ବିତୀୟ ଦିନିକିଆ ମ୍ୟାଚ୍ ଖେଳିନଥିଲେ । ଫଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଳାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଇଶାନ କିଶନଙ୍କୁ ଛାଡ଼ି ଦେଲେ ଆଉ କୌଣସି ବି ବ୍ୟାଟରଙ୍କ ବ୍ୟାଟରୁ ଭଲ ରନ୍ ବାହାରି ପାରିନଥିଲା । ଫଳରେ ମ୍ୟାଚ୍ ହାରିବା ପରେ ଦଳ ନିଜର ଭୁଲ ବୁଝିପାରିଥିଲା । ଆଜି ଅନ୍ତିମ ମ୍ୟାଚ୍ରେ ରୋହିତ ଶର୍ମା ଓ ବିରୋଟ କୋହଲି ଖେଳିପାରନ୍ତି । ସେପଟେ ସୂର୍ଯ୍ୟକୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଏତେଟା ଭଲ ପ୍ରଦର୍ଶନ କରିନଥିବାରୁ ଆଜି ଫର୍ମକୁ ଫେରିବେ ବୋଲି ଆଶା ରହିଛି । ସେହିପରି ଗିଲ୍ଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ବୋଲିଂ ବିଭାଗରେ କୁଲଦୀପ ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରହିବ । ପ୍ରଥମ ମ୍ୟାଚ୍ରେ ସେ 4ଟି ଓ୍ବିକେଟ୍ ନେଇ ଓ୍ବେଷ୍ଟଇଣ୍ଡିଜ୍ ବ୍ୟାଟରଙ୍କୁ ଘାଇଲା କରିଥିଲେ । ସେହିପରି ଜାଡେଜା ଓ ଉମ୍ରାନ ମଲିକଙ୍କ ଉପରେ ମଧ୍ୟ ଦଳ ଭରସା କରିଛି ।