ଫ୍ଲୋରିଡା:ରୋମାରିଓ ସେଫର୍ଡାଙ୍କ ଚମତ୍କାର ବୋଲିଂ, ବ୍ରାଣ୍ଡନ କିଙ୍ଗ ଓ ନିକୋଲାସ ପୂରନଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ କବଜା କରିଛି ୱେଷ୍ଟଇଣ୍ଡିଜ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା 5 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜକୁ 3-2ରେ କବଜା କରିଛି ଇଣ୍ଡିଜ । ସୂର୍ଯ୍ୟକୁମାରଙ୍କ ଚମକ ପରେ ବି ହାରିଲା ଭାରତ । ପଞ୍ଚମ ଟି-ଟ୍ବେଣ୍ଟି ଆର୍ଥାତ ନିର୍ଣ୍ଣାୟକ ଲଢେଇରେ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ 8 ୱିକେଟରେ ପରାସ୍ତ ହୋଇଛି ଭାରତ । 17 ବର୍ଷ ପରେ ୱେଷ୍ଟଇଣ୍ଡିଜଠୁ ସିରିଜ ହାରିଛି ଟିମ ଇଣ୍ଡିଆ । ୱେଷ୍ଟଇଣ୍ଡିଜର ରୋମାରିଓ ସେଫର୍ଡ ପ୍ଲେୟାର ଅଫ ଦି ମ୍ୟାଚ ଓ ନିକୋଲସ ପୂରନ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଚତୁର୍ଥ ଟି-ଟ୍ବେଣ୍ଟିରେ ଦଳକୁ ଜିତାଇଥିବା ଯଶସ୍ବୀ ଜୈସ୍ବାଲ ଓ ଶୁଭମନ ଗିଲ ପଞ୍ଚମ ଟି-ଟ୍ବେଣ୍ଟିରେ ବିଫଳ ହୋଇଥିଲେ । ଦୁଇ ଓପନର ଯଥାକ୍ରମେ 5 ଓ 9 ରନ କରି ସଅଳ ପାଭିଲିୟନ ଫେରିଥିଲେ । ସୂର୍ଯ୍ୟକୁମାର ଓ ତିଲକ ବର୍ମା ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଦଳୀୟ ସ୍କୋର 66ରେ ଭାରତର ଆଉ ଏକ ୱିକେଟ ପତନ ହୋଇଥିଲା । ତିଲକ ବର୍ମା 18 ବଲରୁ 27 ରନ କରି ଆଉଟ ହୋଇଥିଲେ । ଏହା ପରେ ସୂର୍ଯ୍ୟକୁମାରଙ୍କୁ ସାଥ ଦେଇଥିଲେ ସଞ୍ଜୁ ସାମସନ । ମାତ୍ର ସେ ବେଶି ସମୟ କ୍ରିଜରେ ତିଷ୍ଠି ପାରି ନଥିଲେ । 13 ରନ କରି ରୋମିଓ ସେଫର୍ଡଙ୍କ ଶିକାର ହୋଇଥିଲେ ।
ବ୍ୟାଟିଂ ଜାରି ରଖିଥିବା ସୂର୍ଯ୍ୟକୁମାର 15ତମ ଓଭରରେ ଅର୍ଦ୍ଧଶତକ ହାସଲ କରିଥିଲେ । ଏହା ତାଙ୍କର 15ତମ ଟି-ଟ୍ବେଣ୍ଟି ଅର୍ଦ୍ଧଶତକ ଥିଲା । ଦଳୀୟ ସ୍କୋର 130ରେ ହାର୍ଦ୍ଦିକ ପାଣ୍ଡ୍ୟା 14 ରନ କରି ଆଉଟ ହୋଇଥିଲେ । ଭାରତର 5ଟି ୱିକେଟ ପତନ ହୋଇଥିଲା । ଦଳୀୟ ସ୍କୋର 140ରେ ସୂର୍ଯ୍ୟକୁମାର 45 ବଲରେ 61 ରନ କରି ଜାସନ ହୋଲ୍ଡରଙ୍କ ବଲରେ ଏଲବିଡବ୍ଲୁ ହୋଇଥିଲେ । ଏହା ପରେ ଅର୍ଶଦୀପ ସିଂହ ଓ କୁଲଦୀପ ଯାଦବ ବ୍ୟାଟିଂ କରିଥିଲେ । କୁଳଦୀପ ଖାତା ଖୋଲି ନପାରି ଆଉଟ ହୋଇଥିଲେ । ଏହା ପରେ ଅକ୍ଷର ପଟେଲ କ୍ରିଜକୁ ଆସିଥିଲେ । ସେ 13 ରନ କରି ଆଉଟ ହୋଇଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 165 ରନ କରିଥିଲା । ୱେଷ୍ଟଇଣ୍ଡିଜ ପକ୍ଷରୁ ରୋମାରିଓ ସେଫର୍ଡ 4ଟି, ଅକିଲ ଓ ଜାସନ ହୋଲ୍ଡର 2ଟି ଲେଖାଏଁ ୱିକେଟ ନେଇଥିଲେ ।