ଅହମ୍ମଦାବାଦ: ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ସିରିଜ । ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ୩ଟି ଯାକ ଦିନିକିଆ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ବରେ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚ ଜରିଆରେ ଭାରତ ପ୍ରଥମ ଦଳ ହେବ ଯିଏ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଛି ।
ଦକ୍ଷିଣ ଆଫ୍ରିକା ସରିଜରେ କରିଥିବା ତ୍ରୁଟି ଯେପରି ପୁନରାବୃତ୍ତି ନ ହେଉ ସେ ଦିଗରେ ଅଧିକ ଧ୍ୟାନ ଦେବ ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ପରଜୟକୁ ଭୁଲି ବ୍ୟାଟିଂ ସ୍ଥିତିରେ ସୁଧାର ଆଣି ନୂଆ ରଣନୀତି ସହ ପଡିଆକୁ ଓହ୍ଲାଇବ ଭାରତ । ବିଶେଷ କରି ବ୍ୟାଟଂ ଉପରେ ଫୋକସ କରିବ ଦଳ । ଶିଖର ଧାୱନ, ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟର କୋରୋନା ସଂକ୍ରମଣ ପାଇଁ ଆଇସୋଲେସନରେ ଅଛନ୍ତି । ଯୁବ ଓପନର ଋତୁରାଜ ଗାଏକ୍ବାଡ ମଧ୍ୟ କୋରୋନା ସଂକ୍ରମିତ । କେଏଲ ରାହୁଲ ପ୍ରଥମ ଦିନିକିଆରୁ ବିଶ୍ରାମ ନେଇଛନ୍ତି । ଏକାଧିକ ଖେଳାଳିଙ୍କ ବିନା ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ । ରୋହିତଙ୍କ ସହ ଇଶାନ କିଷନ ପାଳି ଆରମ୍ଭ କରିବେ । ନୂଆ କରି ଦଳରେ ସ୍ଥାନ ପାଇଥିବା ଅଫ ସ୍ପିନ ଅଲରାଉଣ୍ଡର ଦୀପକ ହୁଡାଙ୍କୁ ଖେଳାଇବାକୁ ବିଚାର ଚାଲିଛି ।
ସେପଟେ ୱେଷ୍ଟଇଣ୍ଡିଜ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ସିମରନ ହେତମେୟର ଓ ଏଭିନ ଲୁଇସ ଦଳରେ ନାହାନ୍ତି ତାଙ୍କ ସ୍ଥାନରେ ଉଡେନ ସ୍ମିଥ, ରୋମାରିଓ ସେଫର୍ଡ, ଫାବିଆନ ଆଲେନ ଓ ବ୍ରାଣ୍ଡନ କିଙ୍ଗଙ୍କୁ ସାମିତ କରାଯିବାର ସୂଚନା ମିଳିଛି । ଭେଟରାନ ପେସ ବୋଲର କିମାର ରୋଚଙ୍କ ଉପସ୍ଥିତି ଦଳ ପାଇଁ ଲାଭଦାୟକ ହୋଇପାରେ ।