ମୁମ୍ବାଇ:ଘରୋଇ ଭାରତ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ଆଜି (ଗୁରୁବାର) ଦ୍ବିତୀୟ ଟି-ଟ୍ବେଣ୍ଟି ମୁକାବିଲା ଖେଳାଯିବ (India vs Sri Lanka second t 20 ) । ପୁଣେର ଏମସି ଗ୍ରାଉଣ୍ଡରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚ ଜିତି ଭାରତ 1-0ରେ ଆଗୁଆ ରହିଛି । ଆଜିର ମୁକାବିଲା ଜିତି ଆଗୁଆ ସିରିଜ କବଜା ଲକ୍ଷ୍ୟରେ ରହିଛି ମ୍ୟାନ ଇନ ବ୍ଲୁ । ଅନ୍ୟପଟେ ଶ୍ରୀଲଙ୍କା ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ଦଳ ହାତରୁ ଆଜିର ମ୍ୟାଚ ଖସିଲେ ସିରିଜି ହାତେଇବା ସ୍ବପ୍ନ ଅଧାରେ ରହିବ । ଭାରତୀୟ ଯୁବ ଦଳର ପ୍ରଦର୍ଶନ ଭଲ ଥିଲେ ବି ଆହତ ସମସ୍ୟା ଚିନ୍ତାରେ ପକାଇଛି । ଆଣ୍ଠୁରେ ଆହତ ସମସ୍ୟା ପାଇଁ ସଞ୍ଜୁ ସାମସନ ଦ୍ବିତୀୟ ଟି-20ରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଜିତେଶଙ୍କୁ ସାମିଲ କରାଯାଇଛି ।
ପ୍ରଥମ ମୁକାବିଲାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ଜବରଦସ୍ତ ବୋଲିଂ କରିଥିଲେ ଭାରତୀୟ ଖେଳାଳି । ରୋମାଞ୍ଚକର ମୁକାବିଲାରେ 2 ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା ଟିମ ଇଣ୍ଡିଆ । ବର୍ଷର ପ୍ରଥମ ମ୍ୟାଚ ଜିତି ଫ୍ୟାନ୍ସଙ୍କୁ ନୂଆବର୍ଷ ଭେଟି ଦେଇଥିଲା ଭାରତ । ଶୁଭମ ମାଭିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ସେ ସର୍ବାଧିକ 4ଟି ୱିକେଟ ନେଇ ଦଳର ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଜି ମଧ୍ୟ ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି । ପ୍ରଥମ ମ୍ୟାଚର ଦଳ ଜିତିଥିଲେ ବି କିଛି ଦୁର୍ବଳତା ସାମ୍ନାକୁ ଆସିଥିଲା । ବ୍ୟାଟିଂ ଟପ ଅର୍ଡର ଆଶାନୁରୁପ ପ୍ରଦର୍ଶନ କରିପାରି ନଥିଲେ । ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ସଙ୍କଟମୋଚକ ସାଜି ଦୀପକ ହୁଡା ସ୍ଥିତି ସମ୍ଭାଳିଥିଲେ । ସାମସନ ଦଳରୁ ବାଦ ପଡିଛନ୍ତି । ଅନ୍ୟ ବ୍ୟାଟର ଆଜିର ମୁକାବିଲାରେ ସମସ୍ତ ତ୍ରୁଟି ସୁଧାରି ପ୍ରଦର୍ଶନ କରିବାକୁ ପଡିବ । ତ୍ରୁଟି ନ ଦୋହରାଇ ଭାରତୀୟ ଖେଳାଳିଙ୍କୁ ବ୍ୟାଟିଂରେ ସୁଧାର ଆଣିବାକୁ ପଡିବ । ସେହିପରି ସ୍ପିନ ବିଭାଗରେ ୟୁଝବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ବେଶ ବ୍ୟୟ ବହୁଲ ସାବ୍ୟସ୍ତ ହୋଇଥିଲେ ।
ବାଦ ପଡିଲେ ସାମସନ:ଦଳର ପ୍ରମୁଖ ବ୍ୟାଟର ସଞ୍ଜୁ ସାମସନ ଦଳରୁ ବାଦ ପଡିଛନ୍ତି । ଆଣ୍ଠୁରେ ସମସ୍ୟା ପାଇଁ ଟି-20 ସିରିଜଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ବିଦର୍ଭ ୱିକେଟ କିପର ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଛି । ପ୍ରଥମ ମ୍ୟାଚରେ ବ୍ରାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ସମୟରେ ସାମସନଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ସାମସନଙ୍କୁ ଏବେ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି ।