ଡର୍ବାନ:ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ । ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ଫିଲ୍ଡରେ ପରସ୍ପରକୁ କଡା ଟକ୍କର ଦେବାକୁ ଦୁଇ ଦଳର ଖେଳାଳି ପ୍ରସ୍ତୁତ । ସାଉଥ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ଦକ୍ଷିଣ ଆଫ୍ରିକା ଉତ୍ସାହୀ ଥିବାବେଳେ ଭାରତୀୟ ଟିମ ଯୁବ ଖେଳାଳି ମଧ୍ୟ ଦମଦାର ପ୍ରଦର୍ଶନ କରିବା ଆଶାରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଆଜି ମଧ୍ୟ ବର୍ଷା ମ୍ୟାଚକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।
ଆସନ୍ତା ବର୍ଷ ଟି ଟ୍ବେଣ୍ଟି ବିଶ୍ବକପ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳି ପ୍ରସ୍ତୁତ ଚଳାଇଛନ୍ତି । ତେଣୁ ଟି ଟ୍ବେଣ୍ଟି ସିରିଜ ବେଶ ଗୁରୁତ୍ବ ବହନ କରୁଛି । ଟିମ ଇଣ୍ଡିଆର ଯୁବ ଖେଳାଳି ଅନ୍ତର୍ଜାତୀୟ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ଅପେକ୍ଷାର ସହ ରହିଛନ୍ତି । ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ଥିବାବେଳେ ବର୍ଷା ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା । ତେବେ ମ୍ୟାଚ ପୂର୍ବରୁ କି ପରେ ଯଦି ବର୍ଷା ହୁଏ ତେବେ ଜଳ ନିଷ୍କାସନ ପାଇଁ ଷ୍ଟାଡିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ସିରିଜ କବଜା କରିଥିଲା ଭାରତ । ଏଥର ମଧ୍ୟ ସାଉଥ ଆଫ୍ରିକାକୁ ହରାଇ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ।