ଥିରୁଅନନ୍ତପୁରମ:ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମୁକାବିଲାରେ ଭାରତ ଦମଦାର ବିଜୟ ହାସଲ କରିଛି । ଆଜି ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଟସ୍ ଜିତି ଭାରତ ପ୍ରଥମେ ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ । ଦକ୍ଷିଣ ଆଫ୍ରିକା ଭାରତକୁ ୧୦୭ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ଭାରତ ୧୬.୪ ଓଭରରେ ୨ ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ସୂର୍ଯ୍ୟକୁମାର ଏବଂ ଲୋକେଶ ରାହୁଲ ଦମ୍ଦାର୍ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଥିଲେ । ପ୍ରଥମ ଟି୨୦ ମ୍ୟାଚ ଜିତିବା ପରେ ଭାରତ ୩ ଟିକିଆ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । 3 ୱିକେଟ ନେଇ ଅର୍ଶଦୀପ ସିଂ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକାକୁ ଅସ୍ତବ୍ୟସ୍ତ କରି ପକାଇଥିଲେ ଭାରତୀୟ ବୋଲର । ଆରମ୍ଭରୁ ହିଁ ବପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ପ୍ରଥମ ଓଭର ଶେଷ ବଲରେ ଅଧିନାୟକ ତେମ୍ବା ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଦ୍ବିତୀୟ ଓଭରରେ ଅର୍ଶଦୀପ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ତାଙ୍କ ପ୍ରଥମ ଓଭରରେ 3ଟି ୱିକେଟ ନେଇଥିଲେ। କ୍ବିଣ୍ଟନ ଡି କକ୍ (1) ଓ ରିଲି ରୋସୋ (0) ଓ ଡେଭିଡ ମିଲରଙ୍କୁ ପାଭିଲିୟନ ପଠାଇଥିଲେ ଅର୍ଶଦୀପ । ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଟେନସନରେ ଆସିଥିଲା । ଦଳୀୟ ସ୍କୋର 100ରେ ପହଞ୍ଚିବା କଷ୍ଟକର ହୋଇଥିଲା । ମାତ୍ର 9ରନରେ ଦଳ 5ଟି ୱିକେଟ ହରାଇଥିଲା ଦଳର ରନ ଗାଡି ମନ୍ଥର ହୋଇଥିଲା । ଆଡେନ ମାରକ୍ରମ ଓ ଅଲରାଉଣ୍ଡର ୱେନ ପାର୍ନେଲ ଷଷ୍ଠ ୱିକେଟରେ 32 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 42ରେ ମାରକ୍ରମ 25 ରନ କରି ଆଉଟ ହୋଇଥିଲେ । ପରେ ପାର୍ନେଲ 24 ରନ କରି ପାଭିଲିୟନ ଫେରିଥିଲେ । ଏହା ପରେ କେଶବ ମହାରାଜ 35 ବଲରେ 41 ରନ କରିଥିଲେ । ନିର୍ଦ୍ଧାରିତ ଓଭରରେ 8 ୱିକେଟ ହରାଇ 106 ରନ କରିଥିଲା ଦକ୍ଷିଣ ଆଫ୍ରିକା।