କେପଟାଉନ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ହୋଇଛି । ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା କ୍ୟାପଟେନ ଡିନ ଏଲଗାରଙ୍କ ୱିକେଟ ହରାଇ ୧୭ ରନ୍ ସଂଗ୍ରହ କରିଛି । ଫଳରେ ଭାରତର ଠାରୁ ୨୦୬ ରନ୍ ପଛରେ ରହିଛି । ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କରିବା ପରେ ଭାରତ ପ୍ରଥମ ଇଂନିସରେ ୨୨୩ ରନ୍ରେ ଅଲଆଉଟ୍ ହୋଇଥିଲା । କ୍ୟାପଟେନ ବିରାଟ କୋହଲି ସର୍ବାଧିକ 79 ରନ୍ର ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।
୧୪୧/୪ରୁ ତୃତୀୟ ସେସନ ଖେଳ ଆରମ୍ଭ କରିଥିବା ଭାରତୀୟ ଟିମ ତୃତୀୟ ସେସନରେ ୮୨ ରନ୍ ଯୋଡିବା ସହ ୬ ୱିକେଟ ହରାଇଥିଲା । କ୍ୟାପଟେନ ବିରାଟ କୋହଲି ଲୟରେ ନଜର ଆସିବା ସହ ନିଜର ୭୧ତମ ଶତକ ଆଡକୁ ଅଗ୍ରସର ହୋଇଥିଲେ । ମାତ୍ର ୭୯ ରନ୍ରେ ବ୍ୟାଟିଂ କରୁଥିବା ସମୟରେ କାଗିସୋ ରବାଡାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ କୋହଲିଙ୍କ ଶତକ ଅପେକ୍ଷାରେ ଥିବା ଭାରତୀୟ ଫ୍ୟାନ୍ସ ନିରାଶ ହୋଇଥିଲେ । ଚେତେଶ୍ବର ପୂଜାରା ୪୩, ଋଷଭ ପନ୍ତ ୨୭ ରନ୍ର ଇଂନିସ ଖେଳିଥିଲେ । ଦୁଇ ଓପନର କେଏଲ ରାହୁଲ ୧୨ ଓ ମୟଙ୍କ ଅଗ୍ରୱାଲ ୧୫ ରନ୍ କରି ଆଉଟ୍ ହୋଇଥିଲେ ।