କଟକ:ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ଦିଲ୍ଲୀରେ ପ୍ରଥମ ମ୍ୟାଚ୍ରେ ପରାଜୟ ପରେ କଟକରେ କମବ୍ୟାକ୍ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ପ୍ରଥମ ମ୍ୟାଚ୍ର ପରାଜୟକୁ ଭୁଲି ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିବେ ବୋଲି ଆଶାବାଦୀ ରହିଛି ଟିମ । ତେବେ ଏହି ମ୍ୟାଚ୍ରେ ଆକ୍ସିଡେଣ୍ଟାଲ କ୍ୟାପଟେନ(Accidental Captain) ଋଷଭ ପନ୍ତଙ୍କ କ୍ୟାପଟେନ୍ସିର ପରୀକ୍ଷା ହେବ ।
ପ୍ରଥମ ଥର ପାଇଁ ଭାରତୀୟ ଟିମର ନେତୃତ୍ବ ନେଉଥିବା ପନ୍ତଙ୍କୁ ପରାଜୟ ହଜମ ହୋଇନଥିବ । ଡେଭିଡ ମିଲର ଓ ରସି ଭନ ଡର୍ ଡୁସେନ ୨୧୨ ରନ୍ର ବିଶାଳ ଟାର୍ଗେଟକୁ ସହଜରେ ହାସଲ କରି ସିରିଜରେ ଦକ୍ଷିଣ ଆଫ୍ରିକାକୁ ୧-୦ରେ ଆଗୁଆ କରିବାପରେ ଟିମ ଇଣ୍ଡିଆ କ୍ୟାମ୍ପ୍ ସାମାନ୍ୟ ଚିନ୍ତାରେ ପଡିଛି । ଯୁବ ୱିକେଟ କିପର ବ୍ୟାଟ୍ର ପନ୍ତ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେ-ଅଫ୍ରେ ପହଞ୍ଚାଇବାରେ ବିଫଳ ହୋଇଥିଲେ ।
ଅନ୍ୟପଟେ ଅଧିନାୟକତ୍ବ ଇଂନିସ ଆରମ୍ଭରୁ ପନ୍ତଙ୍କ ପ୍ରତିନ୍ଦ୍ବନ୍ଦ୍ବୀ ମଧ୍ୟ ଆସିସାରିଛନ୍ତି । ଗୁଜରାଟ ଟାଇଟନ୍ସକୁ ଆଇପିଏଲ ଚାମ୍ପିୟନ୍ସ କରାଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ଭାରତୀୟ ଟିମର ପରବର୍ତ୍ତୀ ହ୍ବାଇଟ ବଲ୍ କ୍ୟାପଟେନ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଲାଣି । ଏପରି ପ୍ରତିକୂଳ ପରିସ୍ଥିତିରେ ପନ୍ତଙ୍କୁ ବାରବାଟୀରେ ବଡ ପରୀକ୍ଷା ଅପେକ୍ଷା କରିଛି । ଆଇପିଏଲରେ ରନର୍ସଅପ୍ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ସର୍ବାଧିକ ୨୭ ୱିକେଟ ହାସଲ କରି ପର୍ପଲକ୍ୟାପ୍ ବିଜେତା ହୋଇଥିବା ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ମାତ୍ର ଦୁଇ ଓଭର ପୂର୍ଣ୍ଣ ବୋଲିଂ କରାଇ ବିବାଦୀୟ ହୋଇଛନ୍ତି ପନ୍ତ ।
ଅନ୍ୟପଟେ ପାଣ୍ଡ୍ୟା ଯେଉଁଠାରେ ନିଜର IPL ଶେଷ କରିଥିଲେ ସେହି ଫର୍ମରୁ ଆରମ୍ଭ କରିଛନ୍ତି । ଗତବର୍ଷ ନଭେମ୍ବରରେ ୨୦୨୧ ଟି୨୦ ବିଶ୍ବକପରେ ଶେଷ ଥର ପାଇଁ ଭାରତ ପାଇଁ ଖେଳିଥିବା ପାଣ୍ଡ୍ୟା ୧୨ ବଲ୍ରୁ ୩୧ ରନ୍ର ଇଂନିସ ଖେଳି ଭାରତର ସ୍କୋର ୨୦୦ ପାର୍ କରାଇଥିଲେ । ମାତ୍ର ବଲ୍ରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ସେ ବୋଲିଂ କରିଥିବା ଏକମାତ୍ର ଓଭରରେ ମହଙ୍ଗା ସାବ୍ୟସ୍ତ ହେବାସହ ୧୮ ରନ୍ ବ୍ୟୟ କରିଥିଲେ । ଫଳରେ ପନ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲିଂ ବିଭାଗ । ଏପରି ସ୍ଥିତିରେ ଅର୍ଶଦୀପ ସିଂ କିମ୍ବା ସ୍ପିଡଷ୍ଟାର୍ ଉରମାନ ମଲିକଙ୍କୁ ବୋଲିଂ ଆକ୍ରଣମରେ ସାମିଲ କରିପାରନ୍ତି ପନ୍ତ । ଭୁବନେଶ୍ବର କୁମାର, ଅଭେଶ ଖାନ ଓ ହର୍ଷଲ ପଟେଲ ପ୍ରଥମ ଟି୨୦ ମ୍ୟାଚ୍ରେ ପ୍ରଭାବୀ ସାବ୍ୟସ୍ତ ହୋଇପାରିନଥିଲେ ।