ଓଡିଶା

odisha

By ETV Bharat Odisha Team

Published : Sep 1, 2023, 10:39 PM IST

ETV Bharat / sports

India vs Pakistan Records: ଏସିଆ କପ୍‌ରେ ଭାରତର ପଲ୍ଲା ଭାରି, ଦିନିକିଆରେ ଆଗରେ ରହିଛି ପାକିସ୍ତାନ

ଅପେକ୍ଷାର ହେବାକୁ ଯାଉଛି ଅନ୍ତ । ଶନିବାର ଏସିଆ କପ୍‌ରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଯାହାକୁ ନେଇ ପ୍ରଶଂସକଙ୍କ ମନରେ ଭରିଲାଣି ଉନ୍ମାଦନା । ତେବେ ଜାଣନ୍ତୁ କଣ ରହିଛି ଉଭୟ ଦଳର ହେଡ୍‌ ଟୁ ହେଡ୍‌ ରେକର୍ଡ । ଅଧିକ ପଢ଼ନ୍ତୁ

India vs Pakistan Records
India vs Pakistan Records

କଲମ୍ବୋ:ଶନିବାର ପୁଣିଥରେ ଗରମ ହେବ ମୈଦାନ । ପୁଣିଥରେ କ୍ରିକେଟ୍‌ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଟି୨୦ ବିଶ୍ବକପ୍‌ ପରେ ପୁଣି ଥରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି ଆଉ ଏକ ରୋମାଞ୍ଚଭରା ମ୍ୟାଚ୍‌ । ଗତ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏସିଆ କପ୍‌ ୨୦୨୩ରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ତାହା ପୁଣି ପାକିସ୍ତାନ ବିପକ୍ଷରେ ଶନିବାର ପ୍ରଥମ ମ୍ୟାଚ୍‌ ଖେଳି । ତେବେ ଦିନିକିଆ ହେଉ ବା ଟି୨୦, ପ୍ରତି ଫର୍ମାଟ୍‌ରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ହେଉଥିବା ମ୍ୟାଚ୍‌ରେ ଏକାଧିକ କୀର୍ତ୍ତିମାନ ରହିଛି । ତେବେ ଏସିଆ କପ୍‌ରେ ଭାରତର ପଲ୍ଲା ଭାରି ରହିଥିବାବେଳେ ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ଭାରତଠାରୁ ଢେର ଆଗରେ ରହିଛି ।

ଏସିଆ କପ୍‌ରେ ଭାରତର ପଲ୍ଲା ଭାରି: ୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍‌ରେ ଉଭୟ ଟି୨୦ ଓ ଦିନିକିଆ ଫର୍ମାଟ୍‌ରେ ଖେଳ ହୋଇଛି । ତେବେ ପାକିସ୍ତାନ ବିପକ୍ଷରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟ୍‌ରେ ୬ ଥର ଏବଂ ଟି୨୦ରେ ଥରେ ବିଜେତା ହୋଇଛି । ସେହିଭଳି ପାକିସ୍ତାନ ଦିନିକିଆରେ ୨ ଥର ବିଜେତା ହୋଇଛି । ମୋଟାମୋଟି ଭାବେ ଏସିଆ କପ୍‌ରେ ଭାରତ ୪୯ ଦିନିକିଆ ଖେଳିସାରିଛି । ସେଥିମଧ୍ୟରୁ ୩୧ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି । ଶନିବାର ପାକିସ୍ତାନ ବିପକ୍ଷରେ ୫୦ତମ ମ୍ୟାଚ୍‌ ଖେଳିବ ଭାରତ । ଦିନିକିଆ ଫର୍ମାଟ୍‌ରେ ଭାରତ ଆଗକୁ ଶ୍ରୀଲଙ୍କା ଏକମାତ୍ର ଦଳ ଭାବେ ସର୍ବାଧିକ ୩୪ ଦିନିକିଆ ବିଜୟ ପାଇଛି । ଦିନିକିଆ ଫର୍ମାଟ୍‌ରେ ଏସିଆ କପ୍‌ରେ ୧୩ଟି ସଂସ୍କରଣ ଆୟୋଜିତ ହୋଇଥିବାବେଳେ ଭାରତ ୧୨ଟିରେ ଖେଳିଛି । ୧୯୮୬ ଏସିଆ କପ୍‌ରେ ଭାରତ ଅଂଶଗ୍ରହଣ କରିନଥିଲା । ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଏସିଆ କପ୍‌ ଚମ୍ପିଆନ୍‌ ହୋଇଛି । ଅନ୍ୟପଟେ ୨୦୦୦ ମସିହାରେ ପାକିସ୍ତାନ ପ୍ରଥମ ଥର ପାଇଁ ଏସିଆ କପ୍‌ ବିଜେତା ହୋଇଥିଲା । ପୁଣି ଦ୍ବିତୀୟ ଟ୍ରଫି ପାଇଁ ପଡ଼ୋଶୀ ଦଳକୁ ଆହୁରି ୧୨ ବର୍ଷ ଲାଗିଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍‌ରଙ୍କ ବୟାନ; 'ଆସେସ୍‌ଠାରୁ ବଡ଼ ଭାରତ-ପାକ୍‌ ମ୍ୟାଚ୍'

ଦିନିକିଆରେ ଆଗରେ ରହିଛି ପାକିସ୍ତାନ: ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ଭିତରୁ ପାକିସ୍ତାନ ଭଲ ସ୍ଥିତିରେ ରହିଛି । ଏକଦିବସୀୟ କ୍ରିକେଟ୍‌ରେ ୧୩୨ ଥର ଉଭୟ ମୁହାଁମୁହିଁ ହୋଇଥିବାବେଳେ ପାକିସ୍ତାନ ୭୩ ମ୍ୟାଚ୍‌ରେ ବିଜୟ ହାସଲ କରିଛି । ଅନ୍ୟପଟେ ଭାରତ କେବଳ ୫୩ଟି ମ୍ୟାଚ୍‌ ଜିତିପାରିଛି । କିନ୍ତୁ ଗତ ୩ ମୁକାବିଲାରେ ଭାରତ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଛି । ଏସିଆ କପ୍‌ର ଦିନିକିଆ ଫର୍ମାଟ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୩ ଥର ଭେଟ‌ାଭେଟି ହୋଇଥିବାବେଳେ ଏଥିରେ ଭାରତ ୭ ଥର ବିଜୟୀ ହୋଇଛି । ଅନ୍ୟପଟେ କଡ଼ା ଟକ୍କର ସହ ପାକିସ୍ତାନ ୫ ଥର ବିଜୟୀ ହୋଇଛି । କେବଳ ଗୋଟିଏ ମ୍ୟାଚ୍‌ ବର୍ଷାରେ ଧୋଇ ଯାଇଥିଲା । ଶେଷଥର ପାଇଁ ୨୦୧୮ ମସିହାରେ ଦିନିକଆ ଫର୍ମାଟ୍‌ରେ ଖେଳାଯାଇଥିବା ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ସେମିଫାଇନାଲରେ ସାମ୍ନାସାମ୍ନି ହୋଇଥିଲେ । ଏଥିରେ ଭାରତ ୯ ୱିକେଟ୍‌ରେ ବିଜୟୀ ହୋଇ ଫାଇନାଲକୁ ଯିବା ସହ ଟ୍ରଫି ହାତେଇ ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details