ଡବଲିନ:ଭ୍ରମଣକାରୀ ଭାରତ ଓ ଘରୋଇ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯାଉଥିବା 3ମ୍ୟାଚ ବିଶିଷ୍ଟି ଟି-ଟ୍ବେଣ୍ଟି ସିରିଜରେ ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ ଖେଳାଯିବ । ଭାରତ ପ୍ରଥମ ଦୁଇ ମ୍ୟାଚ ଜିତି 2-0ରେ ଆଗୁଆ ସିରିଜ କବଜା କରି ସାରିଛି । ଆଜି ତୃତୀୟ ମ୍ୟାଚ ଜିତି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ । ଅନ୍ୟପଟେ ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ ଘରୋଇ ଆୟର୍ଲାଣ୍ଡ ଦଳ ।
ଆଜି ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତୀୟ ଏକାଦଶରେ ପରିବର୍ତ୍ତନ କରାଯାଇପାରେ । କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ପୂର୍ବ ଦୁଇ ମ୍ୟାଚରେ ସୁଯୋଗ ପାଇନଥିବା ଖେଳାଳିଙ୍କୁ ସାମିଲ କରାଯାଇପାରେ । ୱିକେଟ କିପର ଜିତେଶ ଶର୍ମା ଆଜି ପଦାର୍ପଣ କରି ପାରନ୍ତି । ସଞ୍ଜୁ ସାମସନଙ୍କୁ ବିଶ୍ରାମ ଦିଆଯାଇପାରେ । ସେହିପରି ଅଭେଶ ଖାନଙ୍କୁ ଭାରୀତୀୟ ଏକାଦଶରେ ସ୍ଥାନ ମିଳିପାରେ । ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ଅର୍ଶଦୀପ ସିଂହଙ୍କୁ ବିଶ୍ରାମ ଦିଆଯାଇପାରେ । ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ଆଗୁଆ ସିରିଜ କବଜା କରିଥିବା ଭାରତୀୟ ଦଳ ସମାନ ପ୍ରଦର୍ଶନ ଜାରି ରଖି କ୍ଲିନ ସୁଇପ କରିବା ଲକ୍ଷ୍ୟରେ ରହିଛି । ବ୍ୟାଟିଂରେ ରିଙ୍କୁ ସିଂହ, ଯଶସ୍ବୀ ଜୈସ୍ବାଲ ଓ ଏସିଆ କପରେ ସ୍ଥାନ ପାଇଥିବା ତିଲକ ବର୍ମାଙ୍କ ଉପରେ ନଜର ରହିବ ।
ଅନ୍ୟପଟେ ଆଜି ସମ୍ମାନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଚା ଚେଷ୍ଟା କରିବ ଘରୋଇ ଦଳ । ଭାରତ ବିପକ୍ଷରେ ବିଜୟ ହାସଲ କରିନଥିବା ଆୟର୍ଲାଣ୍ଡ ଆଜି ଅନ୍ତିମ ମ୍ୟାଚ ଜିତି ସ୍ମରଣୀୟ କରିବାକୁ ଲକ୍ଷ୍ୟ ରଖିଛି । ଶକ୍ତିଶାଳୀ ଭାରତକୁ ହରାଇବାକୁ ହେଲେ ଦଳକୁ ଉଭୟ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡିବ । ଦଳର ବୋଲିଂ ବିଭାଗ ସନ୍ତୁଳିତ ରହିଛି । ବ୍ୟାଟିଂ ବିଭାଗକୁ ସଜାଡ଼ି ଆଜି ନୂଆ ରଣନୀତି ସହ ତ୍ରୁଟି ସୁଧାରି ମୈଦାନକୁ ଓହ୍ଲାଇବ । ଆଜି ଦଳର ଏକାଦଶରେ ପରିବର୍ତ୍ତନ ହୋଇପାରେ । ବେନ ହ୍ବାଇଟଙ୍କ ସ୍ଥାନରେ ଥିଓ ଭ୍ୟାନ ୱାର୍କମାନଙ୍କୁ ସ୍ଥାନ ମିଳିପାରେ ।
ପ୍ରକାଶ ଥାଉ କି, ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଡିଏଲ ନିୟମ ଅନୁସାରେ 2 ରନରେ ବିଜୟ ହାସଲ କରି 1-0ରେ ଆଗୁଆ ରହିଥିଲା ଭାରତ । ସେହିପରି ଦ୍ବିତୀୟ ଟି-ଟ୍ବେଣ୍ଟିରେ ଭାରତୀୟ ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରି 33ରନରେ ମ୍ୟାଚ ଜିତି ଆଗୁଆ ସିରିଜ କବଜା କରିଥିଲା । ଆଜି ତୃତୀୟ ତଥା ଅନ୍ତିମ ମ୍ୟାଚ ଜିତି ସିରିଜ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।