ହାଇଦ୍ରାବାଦ: ଘରୋଇ ଆୟର୍ଲାଣ୍ଡ ଓ ଭ୍ରମଣକାରୀ ଭାରତ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜ ଜାରି ରହିଛି । ପ୍ରଥମ ମ୍ୟାଚକୁ ଭାରତ 2 ରନରେ ଜିତି ନେଇଛି । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ଦ୍ବିତୀୟ ଟି-ଟ୍ବେଣ୍ଟି ଜିତି ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ସେପଟେ ଆୟର୍ଲାଣ୍ଡ ଘରୋଇ ପରିବେଶର ଫାଇଦା ନେଇ ମ୍ୟାଚ ଜିତି ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ । ଆଜି ରାତି 7ଟା 30ରୁ ଆୟର୍ଲାଣ୍ଡର ଜବଲିନରେ ଆରମ୍ଭ ହେବ ମ୍ୟାଚ ।
ଯୁବ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ପ୍ରଥମ ଟି-ଟ୍ବେଣ୍ଟିରେ ଜବରଦସ୍ତ ବୋଲିଂ କରିଥିଲେ । ନେତୃତ୍ବ ନେଇଥିବା ଯଶପ୍ରୀତ ବୁମରା 326 ଦିନ ପରେ ଜବରଦସ୍ତ କମବ୍ୟାକ କରିଥିଲେ । ପ୍ରଥମ ଓଭରରେ ସେ 2ଟି ୱିକେଟ ନେଇଥିଲେ । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ଭାରତ ଡିଏଲ ନିୟମ ଅନୁସାରେ 2 ରନରେ ଜିତିଥିଲା ଚିମ ଇଣ୍ଡିଆ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ଭଲ ବୋଲିଂ କରିଥିଲା । ଫଳରେ ପ୍ରତିପକ୍ଷକୁ ବଡ ସ୍କୋର କରିବା କଷ୍ଟକର ହୋଇଥିଲା । ଆଜି ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ବୋଲିଂରେ ସମାନ ପ୍ରଦର୍ଶନ ଜାରି ରଖିବାକୁ ଚେଷ୍ଟା କରିବ ।
ତେବେ ବ୍ୟାଟିଂରେ ଦଳକୁ ଅଧିକ ଫୋକସ କରିବାକୁ ପଡିବ । ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚରେ ଆୟର୍ଲାଣ୍ଡ ନିର୍ଦ୍ଧାରିତ 20 ଓଭରରେ 139 ରନ କରିଥିଲା । ଭାରତ 140 ରନ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା । ମାତ୍ର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଦଳ 6.5 ଓଭର ବୋଲିଂ କରିବାକୁ ସୁଯୋଗ ପାଇଥିଲା । ଯଶସ୍ବୀ ଜୈସ୍ବାଲ 23 ରନ ଓ ତିଲକ ବର୍ମା ଖାତା ଖୋଲି ନପାରି ଆଉଟ ହୋଇଥିଲା । ବର୍ଷା ହେବାରୁ ପଦାର୍ପଣ ମ୍ୟାଚ ଖେଳୁଥିବା ରିଙ୍କୁ ସିଂହ ବ୍ୟାଟିଂ କରିବାକୁ ସୁଯୋଗ ପାଇନଥିଲେ । ଆଜି ବର୍ଷା ହେବାର ଆଶଙ୍କା ରହିଛି । ଯଦି ବର୍ଷା ନ ହୁଏ ତେବେ ଭାରତ ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରି ମ୍ୟାଚ ଜିତି ଆଗୁଆ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି ।