ଡବଲିନ:ଋତୁରାଜ ଗାଏକ୍ବାଡଙ୍କ ଅର୍ଦ୍ଧଶତକ, ରିଙ୍କୁ ସିଂହଙ୍କ ଉପଯୋଗୀ ଇନିଂସ ସହ ବୋଲରଙ୍କ ଶୃଙ୍ଖଲିତ ବୋଲି ବଳରେ ଘରୋଇ ଆୟର୍ଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-ଟ୍ବେଣ୍ଟିରେ ବିଜୟ ହାସଲ କରିଛି ଭାରତ । ଆୟର୍ଲାଣ୍ଡକୁ 33 ରନରେ ପରାସ୍ତ କରିବା ସହ 2-0ରେ ଆଗୁଆ ସିରିଜ କବଜା କରିଛି ଯଶପ୍ରୀତ ବୁମରାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ । ଆୟର୍ଲାଣ୍ଡର ଆଣ୍ଡି ବାଲବରିନଙ୍କ ଇନିଂସ ବୃଥା ହୋଇଛି । ଦ୍ବିତୀୟ ଟି ଟ୍ବେଣ୍ଟି ଜିତି ମ୍ୟାଚ ବରାବର କରିବା ଲକ୍ଷ୍ୟରେ ଥିବା ଆୟର୍ଲାଣ୍ଡର ସ୍ବପ୍ନ ଧୂଳିସାତ ହୋଇଛି । ଦର୍ଶନୀୟ ବ୍ୟାଟିଂ କରି ରିଙ୍କୁ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଆୟର୍ଲାଣ୍ଡ । ବ୍ୟାଟିଂ ଆମନ୍ତ୍ରଣ ପାଇଁ ଭାରତର ଯଶସ୍ବୀ ଜୈସ୍ବାଲ ଓ ଋତୁରାଜ ଗାଏକ୍ବାଡ ପାଳି ଆରମ୍ଭ କରିଥିଲେ । ଉଭୟ ଦମଦାର ବ୍ୟାଟିଂ କରି 29 ରନ କରିଥିଲେ । ଯଶସ୍ବୀ 18 ରନ କରି ପ୍ରଥମେ ଆଉଟ ହୋଇଥିଲେ । ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଆସିଥିଲେ ତିଲକ ବର୍ମା 1 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହା ପରେ କ୍ରିଜକୁ ଓହ୍ଲାଇଥିଲେ ସଞ୍ଜୁ ସାମସନ । ସେ ଭଳ ସଟ୍ ଖେଳିଥିଲେ । ଗାଏକ୍ବାଡ ଓ ସଞ୍ଜୁ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ତୃତୀୟ ୱିକେଟ ପତନ ବେଳକୁ ଦଳୀୟ ସ୍କୋର 100ରେ ପହଞ୍ଚି ଯାଇଥିଲା । 13ତମ ଓଭରରେ ଗାଏକ୍ବାଡ ଓ ସଞ୍ଜୁଙ୍କ ଯୋଡି ଭାଙ୍ଗିଥିଲେ ବେନ ହ୍ବାଇଟ । ସାମସନ 26 ବଲରୁ 40 ରନ କରି ଆଉଟ ହୋଇଥିଲେ ।
ଏହା ପରେ ମୈଦାନକୁ ଆସିଥିଲେ ରିଙ୍କୁ ସିଂହ । ସେ ଦର୍ଶନୀୟ ସଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଅନ୍ୟ ପଟେ ଋତୁରାଜ 39 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 129ରେ ଗାଏକ୍ବାଡ ବ୍ୟକ୍ତିଗତ 58 ରନ କରି ଆଉଟ ହୋଇଥିଲେ । ରିଙ୍କୁ ସିଂହ (38) ଓ ଶିବମ ଦୁବେ (22) ଅପରାଜିତ ରହି ଦଳୀୟ ସ୍କୋରକୁ 185ରେ ପହଞ୍ଚାଇଥିଲେ । ଭାରତ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 185 ରନ କରିଥିଲା । ଆୟର୍ଲାଣ୍ଡ ପକ୍ଷରୁ ବାରୀ ମ୍ୟାଚକାର୍ଥୀ ସର୍ବାଧିକ 2ଟି ୱିକେଟ ନେଇଥିଲେ ।