ମୋହାଲି: ବିଶ୍ବକପକୁ ଆଉ ମାତ୍ର 12 ଦିନ । ବିଶ୍ବକପରେ ଭାରତୀୟ ଦଳ ଯେଉଁ ଦଳ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ସେହି ଦଳ ସହ ଆଜିଠୁ ଦିନିକିଆ ସିରିଜ ଖେଳିବାକୁ ଯାଉଛି । ଆଜିଠୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବ । କେଏଲ ରାହୁଲଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ ଭାରତ । ଘରୋଇ ମାଟିରେ ଫାଇଦା ଉଠାଇ ବିଶ୍ବକପ ପୂର୍ବରୁ ଶେଷ ପରୀକ୍ଷା ଦେବାକୁ ଯାଉଛି ଟିମ ଇଣ୍ଡିଆ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ରୋହିତ ଶର୍ମା, ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ପ୍ରଥମ ଦୁଇ ମ୍ୟାଚରେ କେଏଲ ରାହଲୁଙ୍କ ନେତୃତ୍ବରେ ଦକ୍ଷତା ଦେଖାଇବାକୁ ଲକ୍ଷ୍ୟ ରଖିଛି ଭାରତ । ସେପଟେ ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ଟକ୍କର ଦେବାକୁ ଜୋରଦାର ପ୍ରସ୍ତୁତି କରିଛି । ଅପରାହ୍ନ 1ଟା 30ରୁ ଆରମ୍ଭ ହେବ ମ୍ୟାଚ ।
ଚଳିତ ଏସିଆ କପରେ ଭାରତର ସଫଳତା ପରେ ଦଳର ମନୋବଳ ଦୃଢ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚରେ ଯୁବ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଭାରତ । ଈଶାନ କିଷନ, ଶୁଭମନ ଗିଲ, କେଏଲ ରାହୁଲଙ୍କ ଉପରେ ନଜର ରହିବ । ଅଧିନାୟକତ୍ବ ଭାର ସହ ରାହୁଲଙ୍କ ନିକଟରୁ ଏକ ସଫଳ ଇନିଂସ ଆଶା କରାଯାଉଛି । ଏସିଆ କପରେ ପାକିସ୍ତାନ ବିପକ୍ଷରେ ରାହୁଲ ଜବରଦସ୍ତ ଶତକ ହାସଲ କରିଥିଲେ ଆଜି ତାଙ୍କ ନିକଟରୁ କିଛି ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ । ଦିନିକିଆ ଫର୍ମାଟରେ ସୂର୍ଯ୍ୟକୁମାର ଏବେ ଯାଏ ସଫଳ ହୋଇନାହାନ୍ତି ଆଜି ତାଙ୍କ ପାଖରେ ସୁଯୋଗ ରହିଛି । ସେହିପରି ବୋଲିଂରେ ଜାଡେଜା ଓ ଏସିଆ କପ ଫାଇନାଲରେ ଷ୍ଟାର ବୋଲର ହୋଇଥିଲା ସିରାଜଙ୍କ ଉପରେ ନଜର ରହିବ । ସେପଟେ ରବିଚନ୍ଦ୍ରନ ଅଶ୍ବିନୀ ଦଳକୁ ଫେରିଛନ୍ତି । ତାଙ୍କ କମାଲ ଦେଖିବାକୁ ମିଳିପାରେ । 2019ରେ ଦୁଇ ଦଳ ମୋହାଲି ଗ୍ରାଉଣ୍ଡରେ ଏକ ମ୍ୟାଚ ଖେଳିଥିଲେ । ଅଷ୍ଟ୍ରେଲିଆ ଉକ୍ତ ମ୍ୟାଚ ଜିତିଥିଲା ।
ଭ୍ରମଣକାରୀ ଅଷ୍ଟ୍ରେଲିଆ ଜୋରଦାର ପ୍ରସ୍ତୁତି କରିଥିଲେ ସୁଦ୍ଧା ଦଳରେ ଆହତ ସମସ୍ୟା ରହିଛି । ଦକ୍ଷିଣ ଆଫ୍ରିକାଠୁ 3-2ରେ ସିରିଜ ହାରିବା ପରେ ଦଳର ସମସ୍ୟା ବଢିଛି । ଆହତ ହୋଇଥିବା ଅଧିନାୟକ ପ୍ୟାଟ କମିନ୍ସ ଫିଟ୍ ଅଛନ୍ତି ହେଲେ ଅନ୍ୟ କିଛି ଖେଳାଳି ଆଜିର ମ୍ୟାଚ ଖେଳିବେ ନାହିଁ । ଦଳର ମୁଖ୍ୟ ପେସ୍ ବୋଲର ମିଚେଲ ଷ୍ଟାର୍କ ପ୍ରଥମ ଦିନିକିଆରୁ ବାଦ ପଡ଼ିଛନ୍ତି । ଏହା ସହିତ ମ୍ୟାକ୍ସୱେଲ, ସିନ ଆବଟ ଆହତ ହୋଇଛନ୍ତି । ଲାବୁସେନଙ୍କୁ ବିଶ୍ବକପ ପାଇଁ ଦଳରେ ସ୍ଥାନ ମିଳିନାହିଁ । ଏହି ସିରିଜ ତାଙ୍କୁ ବିଶ୍ବକପ ଟିକେଟ ଦେଇପାରେ । ଦଳର ସ୍ପିନ ଦାୟିତ୍ବ ଆଡେନ ଜାମ୍ପା ଓ ତନବୀର ସାଙ୍ଗା ତୁଲାଇବେ । ଜୋସ ହାଜେଲେଉଡଙ୍କ ଉପରେ ପେସ ଭାର ରହିବ ।