ବିଶାଖାପାଟନା:ସଦ୍ୟ ସମାପ୍ତ କ୍ରିକେଟ ମହାକୁମ୍ଭ ବିଶ୍ବକପ ପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହୋଇଛି । ଗୁରୁବାର ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯାଇଥିଲା । ଏହି ସିରିଜରେ ଭାରତର ଅଧିନାୟକତ୍ବ ଭାର ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ତେବେ ଏହି ମ୍ୟାଚରେ କିଛି ରୋଚକ ଘଟଣା ଦେଖିବାକୁ ମିଳିଛି । ଅଧିନାୟକ ସୂର୍ଯ୍ୟକୁମା ଯାଦବଙ୍କ ମ୍ୟାଚ ପ୍ରେସ୍ କନଫରେନ୍ସରେ ମାତ୍ର ଦୁଇ ଜଣ ସାମ୍ବାଦିକ ଯୋଗ ଦେଇଥିବା ଦେଖିବାକୁ ମିଳିଛି । ପ୍ରେସମିଟ ମାତ୍ର 4ମିନିଟ ଚାଲିଥିଲା । ବିଶ୍ବକପ ଫାଇନାଲରେ ଭାରତ ପରାସ୍ତ ହେବା ପରେ ଟିମଠୁ ମିଡିଆର ମୋହ ତୁଟି ଯାଇଥିବା ଚର୍ଚ୍ଚା ହେଉଛି ।
କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଭାରତୀୟ ଦଳର ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ କମ ସଂଖ୍ୟକ ସାମ୍ବାଦିକ ଖବର କଭର କରିଥିଲେ । ବିଶ୍ବକପ ଫାଇନାଲ ପରାଜୟକୁ ନେଇ ସୂର୍ଯ୍ୟକୁମାର ଯାଦବ କହିଥିଲେ, ''ଏହା କଠିନ ସମୟ ଏଥିରୁ ବାହାରିବାକୁ ସମୟ ଲାଗିବ । ଏମିତି ହେବ ନାହିଁ ଯେ ତୁମେ ସକାଳୁ ଉଠ ଓ ଯାହା ହେଲା ତାହାକୁ ଭୁଲିଯାଅ । ଏହା ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଆମେ ତାହାକୁ ଜିତିବାକୁ ପସନ୍ଦ କରିବୁ । ଯେମିତି ସକାଳ ହୁଏ ସୂର୍ଯ୍ୟ ଉଦୟ ହୁଅନ୍ତି ପୁଣି ରାତି ହୁଏ ସେମିତି ଆଗକୁ ବଢିବାକୁ ହେବ । ଏହି ନୂଆ ଟିଟ୍ବେଣ୍ଟି ଦଳ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ।'' ଟି 20 କ୍ରିକେଟରେ ଭାରତୀୟ ଦଳରେ ସୂର୍ଯ୍ୟକୁମାର 13ତମ ଅଧିନାୟକ ଭାବେ ଦଳର ନେତୃତ୍ବ ନେଇଛନ୍ତି ।