ମୁମ୍ବାଇ:ବର୍ଡର ଗାଭାସ୍କର ଟ୍ରଫି ସିରିଜକୁ 2-1ରେ ଜିତିବା ପରେ ଆଜିଠୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦୃଢ ମନୋବଳରେ ରହିଛି ଭାରତ । ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଗ୍ରାଉଣ୍ଡକୁ ଓହ୍ଲାଇବ ଭାରତ । ସେହିପରି ପାଟ କାମିନ୍ସଙ୍କ ସ୍ଥାନରେ ଅଷ୍ଟ୍ରେଲିଆର କମାଣ ସମ୍ଭାଳିବେ ସ୍ମିଥ । 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚ ପାଇଁ ଉଭୟ ଦଳର ପ୍ରସ୍ତୁତି ଶେଷ ହୋଇଛି । ଅପରାହ୍ନ 1ଟା 30ରୁ ଆରମ୍ଭ ହେବ ମ୍ୟାଚ ।
ପାରିବାରିକ କାରଣ ଯୋଗୁଁ ରୋହିତ ଶର୍ମା ପ୍ରଥମ ଦିନିକିଆରେ ଅନୁପସ୍ଥିତ ରହିଛନ୍ତି । ତାଙ୍କ ସ୍ଥାନରେ ଦଳର ନେତୃତ୍ବ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟି-20ରେ ଅଧିନାୟକତ୍ବ କରିଥିବା ବେଳେ ପ୍ରଥମ ଥର ପାଇଁ ପାଣ୍ଡ୍ୟା ଦିନିକିଆରେ ଦଳର ନେତୃତ୍ବ ନେବେ । ରୋହିତଙ୍କ ସ୍ଥାନରେ ଶୁଭମନ ଗିଲ ଓ ଇଷାନ କିଷନ ଓପନିଂ କରିବେ । ଉଭୟ ଦିନିକିଆ କ୍ରିକେଟରେ ଦ୍ବିଶତକ ହାସଲ କରି ସାରିଛନ୍ତି । ଆଜି ଉଭୟ ବିସ୍ଫୋରକ ବ୍ୟାଟିଂ କରିବା ଆଶା କରାଯାଉଛି । ଗିଲ ଫୁଲ ଫର୍ମରେ ରହିଛନ୍ତି । ବର୍ଡର ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟରେ ଶୁଭମନ ଶତକ ହାସଲ କରିଥିଲେ । ଏହାସହ ବିରାଟ କୋହଲି ମଧ୍ୟ ଶତକ ହାସଲ କରିଥିଲେ । ଆଜି ଉଭୟଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର ରହିଛି ।
କେଏଲ ରାହୁଲ ଫର୍ମକୁ ଫେରିବାକୁ ସଂଘର୍ଷ କରୁଛନ୍ତି । ଟେଷ୍ଟ ଏକାଦଶରୁ ରାହୁଲ ବାଦ ପଡିଥିଲେ । ସୀମିତ ଓଭରରେ ଯଦିଓ ତାଙ୍କ ପ୍ରଦର୍ଶନ ଭଲ ରହିଛି ଆଜି ତାଙ୍କୁ କମାଲ କରିବାକୁ ପଡିବ । ଏହା ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ । ବିଶ୍ବକପରେ ଖେଳିବାକୁ ହେଲେ ରାହୁଲଙ୍କୁ ଫର୍ମକୁ ଫେରିବାକୁ ପଡିବ । ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ମଧ୍ୟ ଫ୍ୟାନ୍ସଙ୍କ ନଜର ରହିଛି । ଟି-20ରେ ସଫଳ ହୋଇଥିଲେ ସୁଦ୍ଧା ଦିନିକିଆରେ ଦକ୍ଷତା ଦେଖାଇ ନାହାନ୍ତି ସୂର୍ଯ୍ୟ । ଆଜି କିଛି ଚମତ୍କାର କରିବେ ବୋଲି ଆଶା । ବୋଲିଂରେ ଟେଷ୍ଟରେ କମାଲ କରିଥିବା ଜାଡେଜା ମଧ୍ୟ ତାଙ୍କ ଯାଦୁ ବଜାୟ ରଖିବେ ବୋଲି ଆଶା କରାଯାଉଛି । ଅକ୍ଷର ପଟେଲ ମଧ୍ୟ ଦଳକୁ ଫେରିଛନ୍ତି ।