ନୂଆଦିଲ୍ଲୀ: ଭାରତୀୟ ଦଳକୁ ଦବଙ୍ଗ ବୋଲି ସମ୍ବୋଧିତ କରିଛନ୍ତି ନବାବ ଅଫ ନଜଫଗଡ଼ ବିରେନ୍ଦ୍ର ସେହୱାଗ। ଭାରତୀୟ କ୍ରିକେଟ ଟିମ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ପ୍ରଶଂସାରେ ଶତମୁଖ ପୂର୍ବତନ ଭାରତୀୟ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହୱାଗ। ଅଷ୍ଟ୍ରେଲିଆର ଗାବା ମୈଦାନରେ ଖେଳାଯାଉଥିବା ଚତୁର୍ଥ ତଥା ଶେଷ ଟେଷ୍ଟ ମ୍ୟାଚରେ ଶାର୍ଦୁଲ ଠାକୁର ଓ ୱାଶିଂଟନ ସୁନ୍ଦରଙ୍କ ବ୍ୟାଟିଂରେ ପ୍ରଭାବିତ ହୋଇଛନ୍ତି ସେହେୱାଗ। ସପ୍ତମ ୱିକେଟ ପାଇଁ ଦୁହିଁଙ୍କ ମଧ୍ୟରେ 123 ରନ ପାର୍ଟନରସିପ ହୋଇଥିଲା।
ଚତୁର୍ଥ ମ୍ୟାଚର ତୃତୀୟ ଦିନରେ ଭାରତ ଗୋଟିଏ ପଟୁ ୱିକେଟ ହରାଇ ଚାଲିଥିଲା। ଏହି ସମୟରେ ସାର୍ଦ୍ଦୁଲ ଠାକୁର 67 କରିଥିବା ବେଳେ ୱାଶିଂଟନ ସୁନ୍ଦର 62 ରନ କରି ଦଳକୁ ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଥିଲେ। ବିରେନ୍ଦ୍ର ସେହେୱାଗଙ୍କ ମୁତାବକ ବର୍ତ୍ତମାନ ପୁଣି ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଛି। ଗୋଟିଏ ସମୟରେ ଭାରତ ଏହି ମ୍ୟାଚରେ ପଛରେ ପଡ଼ି ଯାଇଥିବା ଜଣା ପଡ଼ୁଥିଲା।
ଏହାକୁ ନେଇ ସେହୱାଗ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ, "ଭାରତୀୟ ଦଳର ଆଜିର ପ୍ରଦର୍ଶନକୁ ଦେଖିଲେ କେବଳ ଗୋଟିଏ ଶବ୍ଦ ମନକୁ ଆସୁଛି 'ଦବଙ୍ଗ'। ବହୁତ ସାହାସୀ ଓ ବହୁତ ବାହାଦୁର ଟିମ, ଅତି ସୁନ୍ଦର ଠାକୁର।"