ହାଇଦ୍ରାବାଦ:ଘରୋଇ ଭାରତ ଓ ଭ୍ରମଣକାରୀ ଦଳ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜିଠୁ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହୋଇଛି । ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଉଛି । ହାଇଦ୍ରାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମ ଦିନିକିଆ ମ୍ୟାଚରେ ଟସ ଜିତିଛି ଟିମ ଇଣ୍ଡିଆ । ପ୍ରଥମ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷରେ ଟି-20 ଓ ଦିନିକିଆ ସିରିଜ କବଜା କରିବା ପରେ ଦୃଢ ମନୋବଳରେ ରହିଛି ରୋହିତ ବାହିନୀ । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ଜିତି ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ ।
ଆଉ କିଛି ସମୟ ପରେ ଗ୍ରାଉଣ୍ଡକୁ ଓହ୍ଲାଇବ ଟିମ ଇଣ୍ଡିଆ । ରୋହିତ ଶର୍ମା ଓ ଶୁଭମନ ଗଲି ଓପନିଂ କରିବେ । ଶ୍ରୀଲଙ୍କା ବିପକ୍ଷରେ ଶୁଭମନ ଗିଲ ଓ ବିରାଟ କୋହଲିଙ୍କ ଦମଦାର ପ୍ରଦର୍ଶନ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଓ ତୃତୀୟ ଦିନିକିଆରେ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଦୁଇଟି ଯାକ ମ୍ୟାଚରେ ଶତକ ହାସଲ କରିଥିଲେ କିଙ୍ଗ କୋହଲି ।
ଭାରତର ବ୍ୟାଟିଂ ବିଭାଗ ଭଲ ଥିଲେ ବି କିଛି ଛୋଟ ମୋଟ ତ୍ରୁଟିକୁ ସୁଧାରିବାକୁ ହେବ । ସେପଟେ ଶ୍ରେୟାସ ଆୟର ଆହତଜନିତ ସମସ୍ୟା ପାଇଁ ଦିନିକିଆ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ରଜତ ପଟିଦାର ଦଳରେ ସ୍ଥାନ ପାଇଛନ୍ତି । ମାତ୍ର ଆଜିର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି । ଘରୋଇ ଗ୍ରାଉଣ୍ଡରେ ଦଳ ଆଧିପତ୍ୟ ବଜାୟ ଲକ୍ଷ୍ୟରେ ରହିଛି ।
ଭାରତର ବୋଲିଂ ବିଭାଗ ସନ୍ତୁଳିତ ଅଛି । ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ମହମ୍ମଦ ସିରାଜ, ମହମ୍ମଦ ସାମି ଓ ଉମ୍ରାନ ମଲିକ ପେସ ବିଭାଗ ସମ୍ଭାଳିବାକୁ ଥିବାବେଳେ ସ୍ପିନ ବିଭାଗ ପାଇଁ କୁଳଦୀପ ଯାଦବଙ୍କୁ ଏକଦାଶରେ ସ୍ଥାନ ମିଳିଛି । ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନଙ୍କୁ ମଧ୍ୟ ଏକାଦଶରେ ସ୍ଥାନ ମିଳିଛି ।