ଓଡିଶା

odisha

ETV Bharat / sports

Ind vs Aus 3rd ODI: ଅଷ୍ଟ୍ରେଲିଆ ୨୬୯ରେ ଅଲ ଆଉଟ୍‌, ଶୃଙ୍ଖଳା ଜିତିବାକୁ ଭାରତକୁ ଆବଶ୍ୟକ ୨୭୦ - ଶେଷ ଦିନିକିଆ ମୁକାବିଲା

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ତୃତୀୟ ତଥା ଶେଷ ଦିନିକିଆରେ ୨୬୯ ରନରେ ଅଲ ଆଉଟ୍‌ ହୋଇଛି ଅଷ୍ଟ୍ରେଲିଆ । ବର୍ତ୍ତମାନ ଶୃଙ୍ଖଳା ୧-୧ରେ ବରାବର ରହିଥିବା ବେଳେ ଶୃଙ୍ଖଳା ଜିତିବା ପାଇଁ ୨୭୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ଭାରତ । ଅଧିକ ପଢ଼ନ୍ତୁ

ଅଷ୍ଟ୍ରେଲିଆ ୨୬୯ରେ ଅଲ ଆଉଟ୍‌
ଅଷ୍ଟ୍ରେଲିଆ ୨୬୯ରେ ଅଲ ଆଉଟ୍‌

By

Published : Mar 22, 2023, 6:10 PM IST

ଚେନ୍ନାଇ: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ତୃତୀୟ ତଥା ଶୃଙ୍ଖଳାର ଶେଷ ଦିନିକିଆ ମୁକାବିଲା । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୬୯ ରନରେ ଅଲ୍‌ ଆଉଟ ହୋଇଛି । ବର୍ତ୍ତମାନ ଶୃଙ୍ଖଳା ୧-୧ରେ ବରାବର ରହିଥିବା ବେଳେ ଉଭୟ ଦଳ ଶେଷ ମ୍ୟାଚ୍‌ ଜିତି ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିଛନ୍ତି । ତେବେ କଙ୍ଗାରୁ ଦଳ ୪୯ ଓଭରରେ ୨୬୯ ରନ କରି ଅଲ୍‌ ଆଉଟ ହେବାପରେ ୨୭୦ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଏହ୍ଲାଇଛି ରୋହିତ ବାହିନୀ ।

ଆଜିର ମ୍ୟାଚ୍‌ରେ ପ୍ରଥମେ ଟସ ଜିତି ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ କଙ୍ଗାରୁ ଅଧିନାୟକ ଷ୍ଟିଭ୍‌ ସ୍ମିଥ । ତେବେ ଆଜିର ନିର୍ଣ୍ଣାୟକ ମ୍ୟାଚ୍‌ରେ କୌଣସି କଙ୍ଗାରୁ ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରି ନାହାନ୍ତି । ଉଭୟ ପ୍ରାରମ୍ଭିକ ବ୍ୟାଟର ଟ୍ରାବିସ ହେଡ୍‌ ଓ ମିଚେଲ ମାର୍ଶ ଦଳକୁ ଭଲ ଆରମ୍ଭ ଦେଇଥିଲେ । ତେବେ ଉଭୟଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଟ୍ରାବିସ ହେଡ୍‌ ୩୧ ବଲରେ ୪ ଚୌକୋ ଓ ୨ ଛକା ବଳରେ ୩୩ ରନ ସ୍କୋର କରି ହାର୍ଦ୍ଦିକଙ୍କ ବଲରେ କୁଲଦୀପଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ପାଣ୍ଡ୍ୟା । ସେହିଭଳି ଆରମ୍ଭରୁ ଭଲ ଲୟରେ ରହିଥିବା ମିଚେଲ ମାର୍ଶଙ୍କୁ ମଧ୍ୟ କ୍ଲିନ ବୋଲ୍ଡ କରିଥିଲେ ପାଣ୍ଡ୍ୟା । ମାର୍ଶ ୪୭ ବଲରୁ ୮ ଚୌକା ଓ ୧ ଛକା ବଳରେ ୪୭ ରନ ସଂଗ୍ରହ କରି ପାଭିଲିୟନ ଫେରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଚଳିତ ଶୃଙ୍ଖଳାରେ ପ୍ରଥମ ଥର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ଡେଭିଡ ୱାର୍ନର ୨୩ (୩୧), ମାର୍ନସ ଲାବୁସାନେ ୨୮ (୪୫), ଆଲେକ୍ସ କ୍ୟାରୀ ୩୮ (୪୬), ଷ୍ଟୋଇନିସ ୨୫ (୨୬), ସେନ ଆବଟ୍‌ ୨୬ (୨୩), ଆଷ୍ଟନ ଅଗର ୧୭ (୨୧) ଓ ମିଚେଲ ଷ୍ଟାର୍କ ୧୧ ବଲରୁ ଗୋଟିଏ ଛକା ବଳରେ ୧୦ ରନ ସଂଗ୍ରହ କରିଥିଲେ । ଆଦାମ ଜାମ୍ପା ୧୧ ବଲରୁ ଗୋଟିଏ ଚୌକା ବଳରେ ଅପରାଜିତ ୧୦ ରନ୍‌ ସ୍କୋର କରି ପିଚ୍‌ରେ ମହଜୁଦ ରହିଥିଲେ ।

ଅନ୍ୟପଟେ ଭାରତ ପକ୍ଷରୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୮ ଓଭର ବୋଲିଂ କରି ୪୪ ରନ ବ୍ୟୟରେ ୩ ଟି ୱିକେଟ ପାଇଥିବା ବେଳେ କୁଲଦୀପ ଯାଦବ ୧୦ ଓଭରରେ ୫୬ ରନ ବ୍ୟୟ କରି ୩ଟି ୱିକେଟ ହାତେଇ ଥିଲେ । ଦ୍ରୁତ ବୋଲର ମହମ୍ମଦ ସିରାଜ ୭ ଓଭରରୁ ୩୭ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିଲେ । ସେହିଭଳି ଅଲରାଉଣ୍ଡର ଅକ୍ଷର ପଟେଲ ୮ ଓଭର ବୋଲିଂ କରି ୫୭ ରନ ବ୍ୟୟରେ ୨ଟି ୱିକେଟ ପାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦ୍ରୁତ ବୋଲର ମହମ୍ମଦ ସାମି ଓ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ କୌଣସି ସଫଳତା ମିଳିନଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details