ହାଇଦ୍ରାବାଦ: ପୁଣି ଦୋହରିଲା ଇତିହାସ । ୭ ବର୍ଷ ତଳେ ବାଂଲାଦେଶ ମାଟିରେ ଭାରତ ସିରିଜ ପରାଜୟର ସ୍ବାଦ ଚାଖିଥିଲା । ପୁଣି ଇତିହାସର ପୃଷ୍ଠା ଲେଉଟିଛି । ରୋହିତ ଶର୍ମାଙ୍କ ଲଢୁଆ ଇନିଂସ ସତ୍ତ୍ବେ ଆଜି ( ବୁଧବାର ) ଦ୍ବିତୀୟ ଦିନିକିଆରେ ବାଂଲାଦେଶଠାରୁ ୫ ରନରେ ପରାସ୍ତ ହୋଇଛି ଭାରତ । ଏହି ବିଜୟ ସହିତ ବାଂଲାଦେଶ ୨-୦ରେ ସିରିଜରେ ଆଗୁଆ ରହିଛି । ଭ୍ରମଣକାରୀ ଦଳ ଭାରତ ହାତରୁ ପୁନର୍ବାର ସିରିଜ୍ ଛଡାଇ ଆଣି ଇତିହାସ ରଚିଛି ବାଂଲାଦେଶ ।
ଟିମ୍ ଇଣ୍ଡିଆ ବର୍ଷ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷରେ ଏକ ଦ୍ବିପାକ୍ଷିକ ସିରିଜ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଖେଳିଥିଲା । ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଧୋନୀ ବାହିନୀ ୨-୧ରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ଥିବା ବେଳେ ତୃତୀୟ ମ୍ୟାଚଟି ଭାରତ ଜିତିଥିଲା । ସେହିପରି ପୁଣି ଥରେ ୭ ବର୍ଷ ପରେ ରୋହିତ ଏଣ୍ଡ କୋ ଇତିହାସକୁ ଦୋହରାଇଛି । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ବାଂଲାଦେଶଠାରୁ ୧ ୱିକେଟରେ ପରାସ୍ତ ହୋଇଥିଲା । ସେହିପରି ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ଇନିଂସ ସତ୍ତ୍ବେ ଭାରତଠାରୁ ସିରିଜ୍ ଛଡାଇ ଆଣିଛି ବାଂଲାଦେଶ । ଦ୍ବିତୀୟ ଦିନିକିଆରେ ରୋହିତ ବାହିନୀକୁ ୫ ରନରେ ପରାସ୍ତ କରି ସିରିଜ ହାତେଇଛନ୍ତି ବାଂଲା ଟାଇଗର । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ କରିଥିଲା । ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୬ ରନ କରିଥିଲା । ଏହା ସହିତ ବାଂଲାଦେଶ ୨-୦ ରେ ସିରିଜରେ ଆଗୁଆ ରହିଛି ।