ହାଇଦ୍ରାବାଦ:ଏଜବଷ୍ଟିନରେ ଘରୋଇ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟର ଆଜି ଦ୍ବିତୀୟ ଦିନ । ଆଜି (ଦ୍ବିତୀୟ ଦିନ)ରେ ଭାରତ ପ୍ରଥମ ଇନିଂସରେ ୪୧୬ ରନ କରି ଅଲଆଉଟ ହୋଇଛି । ଏହା ସହିତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଛନ୍ତି ।
ଗତକାଲି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆଣନ୍ତ୍ରଣ କରିଥିଲା ଇଂଲଣ୍ଡ । ଖେଳ ଆରମ୍ଭରୁ ଭାରତ ବିପର୍ଯ୍ୟୟ ବ୍ୟାଟିଂର ସାମନା କରିଥିଲା । ଭାରତ ପକ୍ଷରୁ ଓପନିଂ କରିଥିବା ଶୁଭମନ ଗିଲ ୨୪ ବଲରୁ ୪ ଟି ଚୌକା ମାରି ୧୭ ରନ କରି ଜ୍ୟାକ୍ କ୍ରୋଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ଚେତେଶ୍ବର ପୂଜାରା ୪୬ ବଲରୁ ୨ ଟି ଚୌକା ମାରି ୧୩ ରନ କରି ଜ୍ୟାକ୍ କ୍ରୋଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । କ୍ରିଜରେ ବ୍ୟାଟିଂ ପାଇଁ ବିରାଟ କୋହଲି ଏବଂ ହନୁମା ବିହାରୀ ରହିଥିଲେ ।
ହେଲେ ବର୍ଷା ପାଇଁ ମ୍ୟାଚ କିଛି ସମୟ ସ୍ଥଗିତ ରହିଥିଲା । ବର୍ଷା ପରେ ପରେ ମ୍ୟାଚ ପୁଣି ଆରମ୍ଭ ହୋଇଥିଲା । ହେଲେ ମିଡିଲ ଅର୍ଡର ବ୍ୟାଟର ବ୍ୟାଟିଂରେ ବିଫଳ ହୋଇଥିଲେ । ହନୁମା ବିହାରୀ ୨୦ ରନ କରି LBW ରେ ଆଉଟ ହୋଇଥିଲେ । କୋହଲି ମଧ୍ୟ ୧୧ ରନ କରି କ୍ଲିନ ବୋଲ୍ଡ ହୋଇଥିଲେ । ଶ୍ରେୟାସ ଆୟାର ୧୫ ରନ କରି କ୍ୟାଚ ଆଉଟ ହୋଇଥିଲେ । ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଋଷଭ ପନ୍ତଙ୍କ ପାର୍ଟନରଶିପ କ୍ରିଜରେ କମାଲ କରିଥିଲା । ଉଭୟଙ୍କ ମଧ୍ୟରେ 222 ରନର ବିଶାଳ ଭାଗିଦାରୀ ହୋଇଥିଲା । ଋଷଭ ପନ୍ତ ୧୧୧ ବଲରୁ ୨୦ ଟି ଚୌକା ୪ଟି ଛକା ମାରି ୧୪୬ ରନ ସଂଗ୍ରହ କରି କ୍ୟାଚ ଆଉଟ ହୋଇଥିଲେ ।
ସେହିପରି ଦ୍ବିତୀୟ ଦିନ ଖେଳରେ ଅଲରାଉଣ୍ଡର ଜାଡେଜା ଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ୧୯୪ ବଲରୁ ୧୩ ଟି ଚୌକା ମାରି ୧୦୪ ରନ କରି ଜେମ୍ସ ଆଣ୍ଡରସନ ଦ୍ବାରା କ୍ଲିନ ବୋଲ୍ଡ ହୋଇଛନ୍ତି ଜାଡେଜା । ସେହିପରି ଭାବରେ ଅଧିନାୟକ ଜଶପ୍ରିତ ବୁମରା ୧୬ ବଲରେ ୨ ଟି ଛକା ୪ ଟି ଚୌକା ମାରି ୩୧ ରନ ସଂଗ୍ରହ କରିଛନ୍ତି ।
ମହମ୍ମଦ ସିରାଜ ୨ ରନ, ମହମ୍ମଦ ସାମି ୧୬ ରନ, ଶାର୍ଦ୍ଦୁଲ ଠାକୁର ୧ ରନ କରି ଆଉଟ ହୋଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୫ ୱିକେଟ ହାତେଇଛନ୍ତି । ସେହିପରି ମ୍ୟାଟି ପୋର୍ଟ୍ଟସ ୨ ଟି ୱିକେଟ ହାତେଇଥିବା ବେଳେ ଜୋ ରୁଟ, ବେନ ଷ୍ଟୋକ୍ସ, ଷ୍ଟୁଆର୍ଟ ବ୍ରଡ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।