ଓଡିଶା

odisha

ETV Bharat / sports

Asia Cup 2023 Ind vs SL: ୧୭୨ରେ ଅଟକିଲା ଶ୍ରୀଲଙ୍କା, ଫାଇନାଲରେ ଭାରତ

ଏସିଆ କପ୍‌ ୨୦୨୩ରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଟିମ୍‌ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ କେବଳ ୨୧୩ ରନରେ ସମସ୍ତ ୱିକେଟ୍‌ ହରାଇଥିଲା । ଜବାବରେ ଶ୍ରୀଲଙ୍କା କେବଳ ୧୭୨ ରନରେ ସମସ୍ତ ୱିକେଟ ହରାଇଛି । ଅଧିକ ପଢ଼ନ୍ତୁ

Asia Cup 2023 Ind vs SL
Asia Cup 2023 Ind vs SL

By ETV Bharat Odisha Team

Published : Sep 12, 2023, 11:05 PM IST

କଲୋମ୍ବୋ: ଏସିଆ କପ୍ ୨୦୨୩ରେ ପ୍ରଥମ ଟିମ୍‌ ଭାବେ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ସୁପର-୪ ମୁକାବିଲାରେ ପାକିସ୍ତାନ ବିପକ୍ଷରେ ଯେଉଁ ଷ୍ଟାଡିୟମରେ ଗତକାଲି ଚୌକା-ଛକା ବର୍ଷା କରି ୩୫୬ ରନର ବିଶାଳ ସ୍କୋର କରିଥିଲେ, ସେହିଠାରେ ଆଜି ଭାରତୀୟ ବ୍ୟାଟର ବିଫଳ ହୋଇଥିଲେ । ଶ୍ରୀଲଙ୍କାର ସ୍ପିନ ବୋଲିଂର ଉଚିତ୍ ମୁକାବିଲା କରିପାରି ନଥିଲା ଟିମ୍‌ ଇଣ୍ଡିଆ । ଦୁନିଥ ୱେଲ୍ଲାଲାଗେ ଏବଂ ଚରିଥ୍‌ ଅସଲଙ୍କାଙ୍କ ଘାତକ ସ୍ପିନ ବୋଲିଂର ମୁକାବିଲା କରିନପାରି ୪୯.୧ ଓଭରରେ କେବଳ ୨୧୩ ରନରେ ଅଲଆଉଟ୍ ହୋଇଥିଲା ଭାରତ । ତେବେ ୨୧୪ ରନର ପିଛା କରିବାକୁ ଯାଇ ଶ୍ରୀଲଙ୍କା ୧୭୨ ରନରେ ସମସ୍ତ ୱିକେଟ ହରାଇଛି । ଫଳରେ ଭାରତ ପ୍ରଥମ ଟିମ୍‌ ଭାବେ ଏସିଆ କପ୍‌ ୨୦୨୩ର ଫାଇନାଲ୍‌ରେ ପ୍ରବେଶ କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଦୁଇ ବ୍ୟାଟର ନିଜ ଚିରାଚରିତ ଶୈଳୀରେ ବ୍ୟାଟିଂ ଆରମ୍ଭ କରିଥିଲେ । ବିଶେଷ କରି ଅଧିନାୟକ ରୋହିତ ଶର୍ମା ଦ୍ରୁତଗତିରେ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୮୦ ରନରେ ଶୁଭମନ ଗିଲ୍ ୧୯ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ହେଲେ ଏହାପରେ ତୁରନ୍ତ ଦଳୀୟ ସ୍କୋର ୯୦ ଓ ୯୧ ହୋଇଥିବାବେଳେ ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ଆଉଟ୍‌ ହୋଇଯାଇଥିଲେ । କୋହଲି ମାତ୍ର ୩ ରନ କରିଥିବାବେଳେ ୪୮ ବଲ୍‌ରୁ ୭ ଚୌକା ଓ ୨ ଛକା ସହ ୫୩ ରନ କରିଥିଲେ ରୋହିତ । ଏହାପରେ ପରିସ୍ଥିତିକୁ ସମ୍ଭାଳି ଈଶାନ କିଶାନ ଓ କେଏଲ୍‌ ରାହୁଲ ବ୍ୟାଟିଂ କରିଥିଲେ । ଉଭୟ ଯଥାକ୍ରମେ ୩୩ ଓ ୩୯ ରନ କରି ଆଉଟ୍‌ ହେବାପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କେବଳ ଅକ୍ଷର ପଟେଲ ୨୬ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ହେଲେ ଅନ୍ୟକେହି ଦୁଇଅଙ୍କ ସ୍କୋର କରିବାରେ ମଧ୍ୟ ସଫଳ ହୋଇନଥିଲେ । ଫଳରେ ଭାରତ ୪୯.୧ ଓଭରରେ କେବଳ ୨୧୩ ରନରେ ସମସ୍ତ ୱିକେଟ ହରାଇଥିଲା । ଶ୍ରୀଲଙ୍କା ପକ୍ଷରୁ ଦୁନିଥ ୱେଲ୍ଲାଲାଗେ ଏକାକୀ ୫ ୱିକେଟ୍‌ ସଫଳତା ହାସଲ କରିଥିବାବେଳେ ଚରିଥ୍‌ ଅସଲଙ୍କା ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମହୀଶ ତୀକ୍ଷାଣାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ଶ୍ରୀଲଙ୍କାକୁ ହରାଇଲେ ଫାଇନାଲ୍‌ରେ ପହଞ୍ଚିବ ଭାରତ, ପାକିସ୍ତାନରେ ହାହାକାର

ଏହାପରେ ଶ୍ରୀଲଙ୍କା ଆଗରେ ମାତ୍ର ୨୧୪ ରନର ବିଜୟଲକ୍ଷ୍ୟ ରହିଥିଲା । ହେଲେ ଦଳୀୟ ଓପନର ଦଳକୁ ଏତେ ଭଲ ଆରମ୍ଭ ଦେଇପାରିନଥିଲେ । ପଥୁମ ନିଶାଙ୍କା କେବଳ ୬ ରନ କରିଥିବାବେଳେ ବୁମରାଙ୍କ ପ୍ରଥମ ଶିକାର ପାଲଟିଥିଲେ । ଏହାପରେ ତୁରନ୍ତ କରୁଣାରତ୍ନେଙ୍କୁ ସିରାଜ ଆଉଟ୍‌ କରିଦେଇଥିଲେ । କୁଶଲ ମେଣ୍ଡିସ (୧୫), ସଦୀରା ସମରବିକ୍ରମା (୧୭), ଚରିଥ ଅସଲଙ୍କା (୨୨) ଦଳୀୟ ସ୍କୋରକୁ ଗତି ଦେବାକୁ ଚେଷ୍ଟା କରି ଆଉଟ୍‌ ହୋଇଥିଲେ । ତେବେ ଧନଞ୍ଜୟ ଡି ସିଲ୍‌ଭା ଓ ଦୁନିଥ ୱେଲ୍ଲାଲାଗେ ଯଥାକ୍ରମେ ୪୧ ଓ ୪୨ ରନ କରି ଦଳପାଇଁ ବହୁତ ସଙ୍ଘର୍ଷ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରିନଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ ୱିକେଟ ସଫଳତା ହାସଲ କରିଥିବାବେଳେ ଯଶପ୍ରୀତ ବୁମ୍‌ରା ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details