ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍ ପୂର୍ବରୁ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ ୨ଟି ଟେଷ୍ଟ ମ୍ୟାଚ୍, ୩ଟି ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା । ଏଥିପାଇଁ ଭାରତୀୟ ଦଳ ଡୋମିନିକାରେ ପହଞ୍ଚି ଜୋର୍ଦାର ଅଭ୍ୟାସ ଆରମ୍ଭ କରିଛନ୍ତି । ପ୍ରଥମ ଟେଷ୍ଟ ମ୍ୟାଚ୍ ଆସନ୍ତା ଜୁଲାଇ ୧୨ ତାରିଖରେ ଖେଳାଯିବ । ବିଶ୍ବ ଟେଷ୍ଟ୍ ଚମ୍ପିଆନ୍ସିପ୍ ଫାଇନାଲ୍ରେ କ୍ରମାଗତ ଭାବରେ ଦ୍ବିତୀୟ ଥର ପାଇଁ ପରାଜୟ ପରେ ଭାରତ ପରବର୍ତ୍ତୀ WTC ଚକ୍ର (୨୦୨୩-୨୫) ପାଇଁ ଅଭିଯାନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ କରିବ । ସେପଟେ ଦିନିକିଆ ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟରୁ ବାଦ୍ ପଡ଼ିବା ପରେ ଟେଷ୍ଟ ମ୍ୟାଚ୍ ମାଧ୍ୟମରେ ପୁରୁଣା ଜୋଶ ଫେରିପାଇବାକୁ ଲକ୍ଷ୍ୟ ରଖିଛି ୱେଷ୍ଟଇଣ୍ଡିଜ୍ ।
ତେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ମଧ୍ୟରେ ଟେଷ୍ଟ ଇତିହାସ ବହୁତ ପୁରୁଣା । ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ୨୪ ଶୃଙ୍ଖଳାରେ ୯୮ ମ୍ୟାଚ୍ ଖେଳିସାରିଛନ୍ତି । ସମସ୍ତ ଶୃଙ୍ଖଳାରୁ ୱେଷ୍ଟଇଣ୍ଡିଜ୍ ସର୍ବାଧିକ ୧୨ଟି ଶୃଙ୍ଖଳା ଜିତିଥିବା ବେଳେ ଭାରତ ୧୦ଟିରେ ବିଜେତା ହୋଇଛି । ସେହିଭଳି ୨ଟି ଶୃଙ୍ଖଳା ଅମୀମାଂସିତ ରହିଥିଲା । କିନ୍ତୁ ଶେଷ ୧୦ ଶୃଙ୍ଖଳା ଉପରେ ନଜର ପକାଇଲେ ଭାରତ ଶେଷ ୮ ଶୃଙ୍ଖଳାକୁ ଲଗାତାର ଭାବେ ଜିତିଛି । ସେହିପରି ଶେଷ ଦୁଇଟି ଶୃଙ୍ଖଳାକୁ ଭାରତ ମୂଳପୋଛ କରିଛି । ତେଣୁ ରେକର୍ଡ ବହିକୁ ଦେଖିଲେ ଭାରତ ସଂଖ୍ୟାରେ ପଛରେ ଥିଲେ ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ୱେଷ୍ଟଇଣ୍ଡିଜ୍ ଦଳ ଠାରୁ ବହୁ ଆଗରେ ରହିଛି । ଟିମ୍ ଇଣ୍ଡିଆ ଏହି କିଛି ବର୍ଷରେ ୱେଷ୍ଟ ଇଣ୍ଡିଜ୍ ଉପରେ ଭାରି ପଡିଛି ।