ହାଇଦ୍ରାବାଦ:ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଯାଇଛି 5 ମ୍ୟାଚ ବିଶିଷ୍ଟ ଟି-20 ସିରିଜ । ଭାରତର ବିଜୟ ଧାରାରେ ବ୍ରେକ ଲଗାଇଲା ଓ୍ବେଷ୍ଟଇଣ୍ଡିଜ । ପ୍ରଥମ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ହୋଇଛି । ମାତ୍ର 4 ରନରେ ଭାରତକୁ ହରାଇ ରୋମାଞ୍ଚକର ବିଜୟ ହାସଲ କରିଛି ଘରୋଇ ଦଳ । ଓ୍ବେଷ୍ଟଇଣ୍ଡିଜ ବୋଲରଙ୍କ ବୋଲିଂରେ ଭାରତୀୟ ବ୍ୟାଟର ଘାଇଲା । ଘାତକ ବୋଲିଂ ଯୋଗୁଁ ଜାସନ ହୋଲ୍ଡ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ । ମୋଟ 20 ଓଭରରେ ଦଳ 149 ରନ କରି ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା । ବିଜୟ ରନର ପିଛା କରି ଭାରତ ମୋଟ 20 ଓଭରରେ 9 ଓ୍ବିକେଟ ହରାଇ ମାତ୍ର 145 ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମାତ୍ର 4 ରନରେ ଓ୍ବେଷ୍ଟଇଣ୍ଡିଜ ଭାରତ ବିପକ୍ଷରେ ବିଜୟୀ ହୋଇଛି ।
ଗୁରୁବାର ରାତିରେ ବ୍ରାଏନ ଲାରା ଷ୍ଟାଡିୟମରେ ଆରମ୍ଭ ହୋଇଥିଲା ମ୍ୟାଚ । ଓ୍ବେଷ୍ଟଇଣ୍ଡିଜ ଓପନର ବ୍ରାଣ୍ଡନ କିଙ୍ଗ ପ୍ରଥମରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । 4ଟି ଚୌକା ସହ ଗୋଟିଏ ଛକା ମାରି 28 ରନରେ ଚହଲଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ 30 ରନ ବେଳକୁ ଆଉ ଗୋଟିଏ ଓ୍ବିକେଟର ପତନ ହୋଇଥିଲା । ଦଳ ପକ୍ଷରୁ ନିକୋଲାସ ପୂରନ 41 ରନ, ପୋଓ୍ବେଲ 48, ସିମରନ ହେତମାୟର 10 ରନ କରି ଆଉଟ ହୋଇଥିଲେ । ଅନ୍ୟ କେହି ଖେଳାଳୀ ଦୁଇ ଅଙ୍କ ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଶେଷରେ 6 ଓ୍ବିକେଟ ହରାଇ ବିପକ୍ଷ ଦଳକୁ 150 ରନର ବିଜୟ ଲକ୍ଷ୍ୟ ଦେଇଥିଲା ଓ୍ବେଷ୍ଟଇଣ୍ଡିଜ ।