ମୁମ୍ବାଇ:ମୁମ୍ବାଇର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଜାରି ରହିଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ । ଦ୍ବିତୀୟ ଦିନରେ ଭାରତର ପ୍ରଥମ ପାଳି ଶେଷ ହୋଇଛି । 428ରେ ଅଲ ଆଉଟ ହେଲା ଭାରତୀୟ ମହିଳା ଦଳ । ଦ୍ବିତୀୟ ଦିନରେ ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରିଛି ଇଂଲଣ୍ଡ । ବର୍ତ୍ତମାନ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ 28 ରନ କରିଛି ଇଂଲଣ୍ଡ ମହିଳା ଦଳ । ଭାରତ ପକ୍ଷରୁ ଶୁଭା ସତୀଶ 67, ଜେମିମା 68, ଦୀପ୍ତି ଶର୍ମା 67 ଓ ୟସ୍ତିକା ଭାଟିଆ 66 ରନର ଲଢୁଆ ବ୍ୟାଟିଂ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍, 9 ବର୍ଷ ପରେ ଘରୋଇ ମାଟିରେ ଟେଷ୍ଟ୍ ଖେଳିବେ ମହିଳା ଦଳ
ଦୀର୍ଘ 9 ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ଗୁରୁବାର ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଟେଷ୍ଟ ସିରିଜ । ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ମହିଳା ଦଳ । ପ୍ରଥମ ଦିନରେ 7 ଓ୍ବିକେଟ ହରାଇ ଭାରତ 410 ରନ କରିଥିଲା । ଆଜି ସକାଳ ପୁଣି ଥରେ ବ୍ୟାଟିଂ କରି ପ୍ରଥମ ପାଳିକୁ 428 ରନରେ ଶେଷ କରିଛି । ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ସର୍ବାଧିକ ସ୍କୋର ହାସଲ ହୋଇଛି ।
ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହାପରେ ଓପନିଂ ଯୋଡି ଭାବେ ସ୍ମୃତି ମନ୍ଧାନା ଓ ଶେଫାଳି ପଡିଆକୁ ଓହ୍ଳାଇଥିଲେ । କିନ୍ତୁ ଏହି ଯୋଡି ପଡିଆରେ ଅଧିକ ସମୟ ତିଷ୍ଟି ପାରିନଥିଲେ । ସ୍ମୃତି 17 ରନ କରି ପାଭିଲିୟନକୁ ଫେରିଥିବା ବେଳେ ଶେଫାଳି 19 ରନରେ ଆଉଟ ହୋଇଥିଲେ । ଏହାପରେ ଶୁଭା ସତୀଶ ,ଜେମିମା , ଦୀପ୍ତି ଶର୍ମା ଓ ୟସ୍ତିକା ଭାଟିଆ ଦମଦାର ବ୍ୟାଟିଂ କରି ଭାରତୀୟ ସ୍କୋରକୁ ଦୃଢ ସ୍ଥିତିରେ ପହଞ୍ଚାଇଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୟସ୍ତିକା 66 ଓ ଦୀପ୍ତି 60 ରନ କରି ଆଉଟ ହୋଇନଥିଲେ । ଆଜି ସକାଳେ ଦ୍ବିତୀୟ ଦିନରେ ପୁଣି ଥରେ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ୟସ୍ତିକା ଆଉଟ ହେବା ପରେ ଦୀପ୍ତି 67 ରନରେ ଆଉଟ ହୋଇଥିଲେ । ଭାରତୀୟ ମହିଳା ଦଳ ସମସ୍ତ ଓ୍ବିକେଟ ହରାଇ ପ୍ରଥମ ପାଳିରେ 428 ରନ୍ କରିଛି । ଅଧିନାୟକ ହରମନପ୍ରିତ 49 ରନରେ ଆଉଟ ହୋଇ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ।