ଥିରୁଅନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା ଆରମ୍ଭ ହୋଇଛି । ଏହି ସିରିଜର ପ୍ରଥମ ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ଆରମ୍ଭରୁ ଶୃଙ୍ଖଳାରେ ୧-୦ରେ ଲିଡ୍ କରିଛି ଟିମ୍ ଇଣ୍ଡିଆ । ଦ୍ବିତୀୟ ମ୍ୟାଚ୍ ପାଇଁ କେରଳର ରାଜଧାନୀ ଥିରୁଅନନ୍ତପୁରମରେ ପହଞ୍ଚିଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆ । କାଉଣ୍ଟର ଆଟାକ୍ ସହ ଶୃଙ୍ଖଳାକୁ ୧-୧ରେ ବରାବର କରିବା ଲକ୍ଷ୍ୟରେ କଙ୍ଗାରୁ ଦଳ ରହିଥିବାବେଳେ ଏପଟେ ଟିମ୍ ଇଣ୍ଡିଆ ଦ୍ବିତୀୟ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ବିଶ୍ବକପ୍ ୨୦୨୩ ପରାଜୟ ପରେ ପରେ ଆରମ୍ଭ ହୋଇଥିବା ଏହି ଟି୨୦ ସିରିଜରୁ ଭାରତୀୟ ଦଳରୁ ଅନେକ ବରିଷ୍ଠ ଖେଳାଳି ବାଦ ପଡ଼ିଛନ୍ତି । ଫଳରେ ଦଳର ନେତୃତ୍ବ ସୁର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ କୋଚ୍ ଦାୟିତ୍ବରେ ରହିଛନ୍ତି ପୂର୍ବତନ ଭାରତୀୟ ଭେଟେରାନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ । ତେବେ ଏହି ଦୁଇ ନୂତନ ଅଧିନାୟକ ଓ ପ୍ରଶିକ୍ଷକଙ୍କ ଯୋଡି ଦଳରେ ଦ୍ରୁତ ବୋଲର ଅଭେଶ ଖାନ ଓ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍ରେ ସୁଯୋଗ ଦେଇପାରନ୍ତି ବୋଲି ଖବର ପ୍ରକାଶ ପାଇଛି । ଶନିବାର ଦୁହେଁ ଝାଳବୁହା ଅଭ୍ୟାସ କରିଥିବା ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି ବିସିସିଆଇ ।