ଗୌହାଟୀ: କଙ୍ଗାରୁ ବୋଲରଙ୍କ ଲାଇନ୍ ଲେନ୍ଥ୍ ବିଗାଡ଼ି ଦେଲେ ଋତୁରାଜ ଗାଏକ୍ୱାଡ୍ । ଗୌହାଟୀରେ ଖେଳାଯାଉଥିବା ୩ୟ ଟି୨୦ ମ୍ୟାଚ୍ରେ ଋତୁରାଜଙ୍କ ବିସ୍ଫୋରକ ଶତକ । ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ କେବଳ ୫୭ ବଲରୁ ୧୨୩ ରନ୍ର ବିସ୍ଫୋରକ ପାଳି ଖେଳି ଦଳକୁ ୨୨୨ ରନର ବିଶାଳ ସ୍କୋରରେ ପହଞ୍ଚାଇଛନ୍ତି ଏହି ଯୁବ ଓପନର । ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ପ୍ରଥମ ୨ଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ଥିବା ଭାରତ ସିରିଜ୍ କବ୍ଜା ଲକ୍ଷ୍ୟରେ ପ୍ରଥମେ ଦମଦାର ବ୍ୟାଟିଂ କରିଛି । 'ଡୁ ଅର୍ ଡାଏ' ମ୍ୟାଚ୍ରେ ବିଜୟ ପାଇଁ ଅଷ୍ଟ୍ରେଲିଆ ଆଗରେ ୨୨୩ ରନର ବିଶାଳ ଲକ୍ଷ୍ୟ ରହିଛି ।
ଭାରତ ବ୍ୟାଟିଂ: ଟସ୍ ହାରି ଭାରତ ପ୍ରଥମେ ବ୍ୟାଟିଂ ପାଇଁ ଆହ୍ବାନ ପାଇଥିଲା । ତେବେ ଦଳକୁ ଏତେ ଭଲ ଆରମ୍ଭ ମିଳିନଥିଲା । ଶେଷ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ଓପନର ଯଶସ୍ବୀ ଜୟସ୍ବାଲ କେବଳ ୬ ରନ କରି ଆଉଟ୍ ହୋଇଥିଲା । ଈଶାନ କିଷାନ ମଧ୍ୟ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । କେବଳ ୨୪ ରନ୍ରେ ୨ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଭାରତ । ଏହାପରେ ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ଙ୍କ ସହ ମିଶି ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ହେଲେ ସେ କେବଳ ୩୯ ରନ କରିବାରେ ସକ୍ଷମ ହୋଇଥିଲେ । ସୂର୍ଯ୍ୟକୁମାରଙ୍କ ଏହି ପାଳିରେ ୫ ଚୌକା ଓ ୨ ଛକା ସାମିଲ ଥିଲା । ସେ ଆଉଟ୍ ହେବାପରେ ଋତୁରାଜଙ୍କ ସାଥ ଦେଇଥିଲେ ଅନ୍ୟତମ ଯୁବ ତାରକା ବ୍ୟାଟର ତିଲକ ବର୍ମା । ତିଲକ ଆଜିର ମ୍ୟାଚ୍ରେ ୨୪ ବଲରୁ ୪ ଚୌକା ବଳରେ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଅନ୍ୟପଟେ ଶେଷ ପର୍ଯ୍ୟନ୍ତ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲେ ଗାଏକ୍ୱାଡ୍ । ସେ କେବଳ ୫୨ ବଲରୁ ନିଜର ଶତକ ହାସଲ କରିନେଇଥିଲେ । ଆଜି ମୋଟ ୫୭ ବଲରୁ ୧୨୩ ରନ କରିଛନ୍ତି ଗାଏକ୍ୱାଡ୍ । ତାଙ୍କର ଏହି ବିସ୍ଫୋରକ ପାଳିରେ ୧୩ ଚୌକା ଓ ୭ ଛକା ସାମିଲ ରହିଛି ।