ବେଙ୍ଗାଲୁରୁ: ବ୍ୟାଟରଙ୍କ ବିଫଳତା ସତ୍ତ୍ବେ ଦମ୍ ଦେଖାଇଲେ ଭାରତୀୟ ବୋଲର । କେବଳ ୧୬୦ ରନକୁ ସଫଳତାପୂର୍ବକ ଡେଫେଣ୍ଡ କରି ଅଷ୍ଟ୍ରେଲିଆକୁ ୧୫୪ ରନ୍ରେ ଅଟାକାଇ ଦେଇଛନ୍ତି ଭାରତୀୟ ୟଙ୍ଗ୍ ବୋଲିଂ ଆଟାକ୍ । ପ୍ରଥମେ ବ୍ୟାଟିଂ କରି ଭାରତର ବ୍ୟାଟିଂ ଅର୍ଡର ଆଶାନୁରୂପ ସଫଳତା ପାଇନଥିଲା । ଶ୍ରେୟସ ଆୟରଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୦ ରନ କରିଥିଲା ଟିମ୍ ଇଣ୍ଡିଆ । ହେଲେ ଅଷ୍ଟ୍ରେଲିଆ ରୋମାଞ୍ଚକର ଭାବେ ଲଢ଼େଇ କରିଥିଲେ ମଧ୍ୟ କେବଳ ୬ ରନ ପଛରେ ରହିଯାଇଥିଲା । ୪-୧ରେ ଏହି ଶୃଙ୍ଖଳା ଶେଷ କରିଛି ଭାରତ ।
ଭାରତ ବ୍ୟାଟିଂ: ଆଜିର ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ କରିଥିଲା ଅଷ୍ଟ୍ରେଲିଆ । ଭାରତକୁ ଆରମ୍ଭରୁ ଭଲ ଆରମ୍ଭ ଦେଇଥିଲେ ଯଶସ୍ବୀ ଜୟସ୍ବାଲ । ସେ ୧୫ ବଲରୁ ୨୧ ରନ କରି ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ୍ କେବଳ ୧୦ ରନ କରି ଆଉଟ୍ ହୋଇଥିବାବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୫ ଓ ରିଙ୍କୁ ସିଂହ ୬ ରନ କରି ପାଭିଲିୟନ ଫେରିଥିଲେ । ଗୋଟିଏ ପଟେ ଶ୍ରେୟସ ଆୟର ପାଳିକୁ ସମ୍ଭାଳୁଥିବାବେଳେ ଅନ୍ୟପଟେ ଭାରତୀୟ ବ୍ୟାଟରମାନେ ସେମାନଙ୍କ ୱିକେଟ୍ ଫିଙ୍ଗି ଚାଲିଥିଲେ । ଜିତେଶ ଶର୍ମା କିଛି ସମୟ ଆୟରଙ୍କ ସାଥ ଦେଇ ଦଳୀୟ ଖାତାକୁ ଗତି ଦେଇଥିଲେ । ସେ ୧୬ ବଲରୁ ୨୪ ରନର ପାଳି ଖେଳି ଆଉଟ୍ ହୋଇଥିଲେ । ଅକ୍ଷର ପଟେଲ୍ ବେଶ କିଛି ସମୟ ଦଳୀୟ ଖାତାକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରି ୨୧ ବଲରୁ ୩୧ ରନର ଉପଯୋଗୀ ପାଳି ଖେଳିଥିଲେ । ଶ୍ରେୟସ ଆୟର ଦଳ ପାଇଁ ସର୍ବାଧିକ ୫୩ ରନର ପାଳି ଖେଳିଥିଲେ । ଏଥିରେ ସେ ୫ ଚୌକା ଓ ୨ ଛକା ମାରି ଶେଷ ଓଭର ପର୍ଯ୍ୟନ୍ତ ଲଢ଼େଇ କରିଥିଲେ । ସେ ଆଉଟ୍ ହେବା ସହିତ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୦ ରନ କରିଥିଲା ।
ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଜିର ମ୍ୟାଚ୍ରେ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଜାଶନ ବେରେନଡ୍ରଫ ଓ ବେନ୍ ଡ୍ବାର୍ଶୁଇସ୍ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିବାବେଳେ ଆରୋନ୍ ହାର୍ଡି, ନାଥନ ଏଲିସ୍ ଓ ଟି ସାଙ୍ଘା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।