ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ୫ମ ତଥା ଅନ୍ତିମ ଟି୨୦ ମ୍ୟାଚ୍ । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଏହି ଶୃଙ୍ଖଳାକୁ ଭାରତ ନିଜ କବ୍ଜାରେ କରିସାରିଥିବାବେଳେ ଶେଷ ମ୍ୟାଚ୍ ଜିତି ଲଜ୍ୟା ରଖିବା ପାଇଁ ଚେଷ୍ଟା କରିବ ଅଷ୍ଟ୍ରେଲିଆ । ଏଥିପାଇଁ ସ୍ବତନ୍ତ୍ର ରଣନୀତି ସହ କ୍ରିସ୍ ଗ୍ରୀନ୍ଙ୍କ ସ୍ଥାନରେ ଦଳର ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି ନାଥନ ଏଲିସ୍ । ସେପଟେ କୌଣସି ଜରୁରୀ କାରଣ ପାଇଁ ଦୀପକ ଚହର ଘରକୁ ଫେରିଯାଇଥିବାରୁ ତାଙ୍କ ବଦଳରେ ଅର୍ଶଦୀପ ସିଂହ ଭାରତୀୟ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି ।
ଦିନିକିଆ ବିଶ୍ବକପ୍ ଶେଷ ହେବାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୁରନ୍ତ ଆରମ୍ଭ ହୋଇଥିଲା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଶୃଙ୍ଖଳା । ଏଥିପାଇଁ ଭାରତୀୟ ଦଳରେ ଅଧିକାଂଶ ବରିଷ୍ଠ ଖେଳାଳି ଅନୁପସ୍ଥିତ ଅଛନ୍ତି । ତେଣୁ ପ୍ରଥମ ଥର ପାଇଁ ଦଳର ନେତୃତ୍ବ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିଥିଲା । ଦଳକୁ ପୁରୁଣା ତଥା ଅଭିଜ୍ଞ ଖେଳାଳିଙ୍କୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା ଅଷ୍ଟ୍ରେଲିଆ । ଶେଷରେ ମ୍ୟାକ୍ସୱେଲ୍ଙ୍କ ବିସ୍ଫୋରକ ଶତକ ବଳରେ ୩ୟ ମ୍ୟାଚ୍ ଜିତି ଶୃଙ୍ଖଳାରେ ଜୀବୀତ ରହିଥିଲା ଅଷ୍ଟ୍ରେଲିଆ । ହେଲେ ୪ର୍ଥ ମ୍ୟାଚ୍ରେ ଦମଦାର ବିଜୟ ସହିତ ଭାରତ ଶୃଙ୍ଖଳା କବ୍ଜା କରିନେଇଥିଲା । ଆଜି ୫ମ ମ୍ୟାଚ୍ ଜିତି ୨-୩ରେ ଶୃଙ୍ଖଳା ଶେଷ କରିବା ଲକ୍ଷ୍ୟରେ ରହିଛି କଙ୍ଗାରୁ ଦଳ । ସେପଟେ ଟିମ୍ ଇଣ୍ଡିଆ କିନ୍ତୁ ଛାଡ଼ିବା ମୁଡ୍ରେ ନାହିଁ । ଶୃଙ୍ଖଳା ଜିତି ବିଶ୍ବକପ୍ ପରାଜୟ ପ୍ରତିଶୋଧ ପୂରା କରିଥିଲେ ମଧ୍ୟ ଶେଷ ମ୍ୟାଚ୍ ଜିତିବାକୁ ପୂରା ଦମ୍ ଲଗାଇବ ସୂର୍ଯ୍ୟ ବାହିନୀ ।