ବେଙ୍ଗାଲୁରୁ: ଆଫଗାନିସ୍ତାନ ବିପକ୍ଷ ୩ୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଇତିହାସ ରଚିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ଏହି ମ୍ୟାଚ୍ରେ ସେ ବିସ୍ଫୋରକ ଶତକ ହାସଲ କରିଛନ୍ତି । ଏହା ସହିତ ବିଶ୍ବର ପ୍ରଥମ ବ୍ୟାଟର ଭାବେ ଟି୨୦ କ୍ରିକେଟ୍ରେ ୫ ଅନ୍ତର୍ଜାତୀୟ ଶତକ ହାସଲ କରିବାର ରେକର୍ଡ କରିଛନ୍ତି ହିଟ୍ମ୍ୟାନ୍ ରୋହିତ । ଆଜି ଗୋଟିଏ ପଟେ ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାବେଳେ ଅନ୍ୟପଟେ ଏପରି ବିଶ୍ବ କୀର୍ତ୍ତିମାନ ରଚିଛନ୍ତି ଭାରତୀୟ ଅଧିନାୟକ ।
ଆଜିକ ଶତକକୁ ମିଶାଇ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଏକମାତ୍ର ବ୍ୟାଟର ଭାବେ ରୋହିତ ଶର୍ମା ୫ଟି ଶତକ ହାସଲ କରିଛନ୍ତି । ରୋହିତଙ୍କ ପଛକୁ ରହିଛନ୍ତି ଭାରତୀୟ ଟି୨୦ ସ୍ପେଶାଲିଷ୍ଟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ । ଉଭୟଙ୍କ ନାଁରେ ୪ଟି ଲେଖାଏଁ ଟି୨୦ ଶତକ ରହିଛି । ୧୪ ମାସ ପରେ ଟି୨୦ କ୍ରିକେଟ୍କୁ ଫେରିଥିବା ରୋହିତ ଲଗାତାର ଭାବେ ପ୍ରଥମ ୨ଟି ମ୍ୟାଚ୍ରେ ଖାତା ଖୋଲିବାରେ ଅସମର୍ଥ ହେବାପରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଏଭଳି ରେକର୍ଡ କରିଛନ୍ତି । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ପାଇଂ ଧିମା ଆରମ୍ଭ କରିଥିବା ରୋହିତ କେବଳ ୬୪ ବଲରେ ନିଜର ଶତକ ହାସଲ କରିନେଇଥିଲେ । ସେ ଆଜି ମୋଟ ୬୯ଟି ବଲ ଖେଳି ୧୧ ଚୌକା ଓ ୮ ଛକା ବଳରେ ୧୨୧ ରନର ବିଶାଳ ଅପରାଜିତ ପାଳି ଖେଳିଥିଲେ ।