ବେଙ୍ଗାଲୁରୁ: ଏମ୍ ଚିନ୍ନାସ୍ବାମୀରେ ରୋହିତ ଶର୍ମାଙ୍କ ବିସ୍ଫୋରଣ । ରିଙ୍କୁ ସିଂହ ବି ଧୋଇଲେ । ଆଫଗାନିସ୍ତାନ ବିପକ୍ଷରେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିଲେ ମଧ୍ୟ ହାର ମାନିନଥିଲେ ସେନାପତି ରୋହିତ ଶର୍ମା । ରିଙ୍କୁ ସିଂହଙ୍କ ସହ ମିଶି ଆଫଗାନିସ୍ତାନ ବୋଲରଙ୍କୁ ଧୂଳି ଚଟାଇଲେ ହିଟ୍ମ୍ୟାନ୍ ରୋହିତ । ଏକଦା ୨୨ ରନରେ ୪ ୱିକେଟ୍ ହରାଇଥିବା ଭାରତ ସେହି ୪ ୱିକେଟ୍ ବିନିମୟରେ ହିଁ ୨୧୨ ରନର ବିଶାଳ ସ୍କୋର କରିଛି । ରୋହିତଙ୍କ ବିସ୍ଫୋରକ ୧୨୧ ଓ ରିଙ୍କୁଙ୍କ ୬୯ ରନର ଧୂଆଁଧାର ପାଳି ଦଳକୁ ଏହି ମଜଭୁତ ସ୍ଥିତିରେ ପହଞ୍ଚାଇଛି । ସମ୍ମାନ ବଞ୍ଚାଇବାକୁ ୩ୟ ଟି୨୦ ଖେଳୁଥିବା ଆଫଗାନିସ୍ତାନ ଏହି ମ୍ୟାଚ୍ ଜିତିବାକୁ ହେଲେ ଦଳକୁ ୨୧୩ ରନ ଆବଶ୍ୟକ ।
ଭାରତ ବ୍ୟାଟିଂ: ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଶୃଙ୍ଖଳା ଆଗୁଆ କବ୍ଜା କରିଥିବା ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଦଳକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେବଳ ୪ ରନ କରି ପାଭିଲିୟନ ଫେରିଥିଲେ ଯୁବ ଓପନର ଯଶସ୍ବୀ ଜୟସ୍ବାଲ । ଏହାପରେ ବହୁ ଆଶା ନେଇ ଆଇପିଏଲ୍ର ଘରୋଇ ମୈଦାନକୁ ଓହ୍ଲାଇଥିବା ବିରାଟ କୋହଲି ଏହି ମ୍ୟାଚ୍ରେ କେବଳ ଗୋଟିଏ ବଲ୍ରେ ଆଉଟ୍ ହୋଇଯାଇଥିଲେ । ୧ମ ଓ ୨ୟ ଦୁଇଟି ମ୍ୟାଚ୍ର ହିରୋ ସାଜିଥିବା ଯୁବ ଅଲରାଉଣ୍ଡର ଶୁଭମ ଦୁବେ ମଧ୍ୟ ଏହି ମ୍ୟାଚ୍ରେ ହାର ମାନିଥିଲେ । ସେ କେବଳ ୧ ରନ ହିଁ କରିପାରିଥିଲେ । ସଞ୍ଜୁ ସାମ୍ସନ୍ ଖାତା ଖୋଲିନପାରି ଆଉଟ୍ ହେବାପରେ ଦଳ ସଙ୍କଟରେ ପଡ଼ିଥିଲା । କେବଳ ୨୨ ରନରେ ୪ଟି ୱିକେଟ୍ ହରାଇଥିଲା ଭାରତ ।
ଏହାପରେ ଅଧିନାୟକ ରୋହିତ ଶର୍ମାଙ୍କ ସାଥ ଦେଇଥିଲେ ରିଙ୍କୁ ସିଂହ । ଉଭୟ ଆଫଗାନିସ୍ତାନ ବୋଲରଙ୍କ ସବୁ ଯୋଜନା ବିଗାଡ଼ି ସେମାନଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ରୋହିତ ଶର୍ମା ୬୯ ବଲରେ ୧୧ ଚୌକା ଓ ୮ ଛକା ବଳରେ ୧୨୧ ରନର ବିଶାଳ ଅପରାଜିତ ପାଳି ଖେଳିଥିଲେ । ଏହା ସହିତ ରିଙ୍କୁ ସିଂହ ମଧ୍ୟ ରୋହିତଙ୍କ ସହ ମିଶି ଆଫଗାନିସ୍ତାନ ବୋଲରଙ୍କ ଲାଇନ୍ ଲେନ୍ଥ ବିଗାଡ଼ିବାରେ ସଫଳ ହୋଇଥିଲେ । ସେ ୩୯ ବଲରେ ୨ ଚୌକା ଓ ୬ ଛକା ବଳରେ ୬୯ ରନର ଧୂଆଁଧାର ପାଳି ଖେଳି ଭାରତର ସ୍କୋରକୁ ୨୧୨ରେ ପହଞ୍ଚାଇଥିଲେ । ଏକଦା ୨୨ ରନରେ ୪ ୱିକେଟ୍ ହରାଇଥିବା ଭାରତ ସେହି ୪ ୱିକେଟ୍ ବିନିମୟରେ ହିଁ ୨୧୨ ରନର ବିଶାଳ ସ୍କୋର କରିଛି ।