ମୁମ୍ବାଇ:ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ପୂର୍ବରୁ ୱାଙ୍ଖଡେ ଷ୍ଟାଡିୟମରେ ବିସ୍ଫୋରଣ ନେଇ ମୁମ୍ବାଇ ପୋଲିସକୁ ଧମକ । ଚଳିତ ବିଶ୍ବକପର ପ୍ରଥମ ସେମି ଫାଇନାଲ ମ୍ୟାଚକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସର ଏକ୍ସ(ପୂର୍ବର ଟ୍ବିଟର) ଆକାଉଣ୍ଟକୁ ଏକ ଧମକପୂର୍ଣ୍ଣ ଟ୍ବିଟ ହୋଇଛି । ୱାଙ୍ଖଡେ ଷ୍ଟାଡିୟମରେ ବଡ ଧରଣର ଅଘଟଣ ନେଇ ସନ୍ଦିଗ୍ଧ ଧମକ ଆସିଥିବା ଖବର ମିଳିଛି । ଏହି ଧମକ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା କଡାକଡି ହୋଇଛି ।
ମୁମ୍ବାଇ ପୋଲିସ ଆକାଉଣ୍ଟକୁ ଟ୍ୟାଗ କରି ୱାଙ୍ଖଡେ ଷ୍ଟାଡିୟମରେ ବଡ ଧରଣର ଅଘଟଣ ନେଇ ଚେତାବନୀ ଦିଆଯାଇଛି । ବନ୍ଧୁକ, ଗୁଳି ଏବଂ ହ୍ୟାଣ୍ଡ ଗ୍ରେନେଡ ସହ ଫଟୋ ଟ୍ୟାଗ କରିଛି ସନ୍ଦିଗ୍ଧ । ମ୍ୟାଚ ପୂର୍ବରୁ ମୁମ୍ବାଇ ପୋଲିସ ସନ୍ଦିଗ୍ଧର ମେସେଜ ପରେ ୱାଙ୍ଖଡେ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ଧମକ ଦେଇଥିବା ବ୍ୟକ୍ତି ବିଷୟରେ ଏ ଯାଏଁ କୌଣସି ସୂଚନା ମିଳିନାହିଁ । ପୋଲିସ ଏ ଦିଗରେ ତଦନ୍ତ ଆରମ୍ଭ କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଷ୍ଟାଡିୟମ ଚାରିପାଖରେ 900 ପୋଲିସ କର୍ମୀ ମୁତୟନ କରାଯାଇଛି । ଷ୍ଚାଡିୟମର ସମସ୍ତ 10ଟି ଗେଟରେ ପାର୍କିଂ ବ୍ୟାନ କରାଯାଇଛି । ସାଢେ 11ଟାରୁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିଛି । ସନ୍ଦିଗ୍ଧର ମେସେଜ ପରେ ମୁମ୍ବାଇ ପୋଲିସ ଅଧିକ ସଜାଗ ହୋଇଛି ।