ଓଡିଶା

odisha

By ETV Bharat Odisha Team

Published : Oct 11, 2023, 10:48 PM IST

ETV Bharat / sports

Cricket World Cup 2023: ଗାଜାବାସୀଙ୍କୁ ବିଜୟ ଉତ୍ସର୍ଗ କଲେ ରିଜ୍‌ୱାନ, ରାଜନୀତି ଛାଡ଼ି କ୍ରିକେଟ୍‌ରେ ଫୋକସ କରିବାକୁ ପ୍ରଶଂସକଙ୍କ ପରାମର୍ଶ

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧରେ ବିଶ୍ବ ସମୁହ ଦୁଇ ଫାଳ ହୋଇଯାଇଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ବଡ଼ ବିଜୟକୁ ଗାଜାବାସୀଙ୍କୁ ଉତ୍ସର୍ଗ କରିଛନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ପାକିସ୍ତାନ ବ୍ୟାଟର ମହମ୍ମଦ ରିଜ୍‌ୱାନ । ଏହାପରେ ରାଜନୀତି ଛାଡ଼ି କ୍ରିକେଟ୍‌ରେ ଫୋକସ କରିବାକୁ ରିଜ୍‌ୱାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଶଂସକ । ଅଧିକ ପଢ଼ନ୍ତୁ

ଗାଜାବାସୀଙ୍କୁ ବିଜୟ ଉତ୍ସର୍ଗ କଲେ ରିଜ୍‌ୱାନ
ଗାଜାବାସୀଙ୍କୁ ବିଜୟ ଉତ୍ସର୍ଗ କଲେ ରିଜ୍‌ୱାନ

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷରେ ରେକର୍ଡ ବିଜୟ ହାସଲ କରିଥିଲା ପାକିସ୍ତାନ ଟିମ୍‌ । ହାଇଦ୍ରାବାଦରେ ପାକିସ୍ତାନର ଏହି ବଡ଼ ବିଜୟରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଦଳର ୱିକେଟ୍‌କିପର-ବ୍ୟାଟର ମହମ୍ମଦ ରିଜ୍‌ୱାନ । ସେ ଅପରାଜିତ ୧୩୧ ରନର ଦମଦାର ଇନିଂସ ଖେଳିବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ତେବେ ସେ ପାକିସ୍ତାନର ବଡ଼ ବିଜୟକୁ ଇସ୍ରାଏଲ ଆକ୍ରମଣରେ ଛିନଛତ୍ର ହୋଇଯାଇଥିବା ଗାଜାବାସୀଙ୍କୁ ଉତ୍ସର୍ଗ କରିଛନ୍ତି ।

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ କ୍ରମଶଃ ଜଟିଳ ହେବାରେ ଲାଗିଛି । ଏଥିରେ ଏବେ ଅନ୍ତର୍ଜାତୀୟ ସମୂଦାୟ ମଧ୍ୟ ହସ୍ତକ୍ଷେପ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଶନିବାର ରକେଟ ମାଡ଼ କରାଯାଇଥିଲା । ଏହାପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳିବାରେ ଲାଗିଛନ୍ତି । ଏସବୁ ଭିତରେ ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ କରିଛି । ଏହାକୁ ନେଇ ବିଶ୍ବ ସମୁହ ଦୁଇ ଫାଳ ହୋଇଯାଇଥିବା ବେଳେ ଏବେ ରିଜ୍‌ୱାନ ପାକିସ୍ତାନର ବଡ଼ ବିଜୟକୁ ଗାଜବାସୀଙ୍କୁ ଉତ୍ସର୍ଗ କରି ଚର୍ଚ୍ଚାକୁ ଆସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: 'ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି', ଶ୍ରୀଲଙ୍କା ବିଜୟ ପରେ ଏମିତି କହିଲେ ରିଜ୍‌ୱାନ

ରିଜ୍‌ୱାନ ମ୍ୟାଚ୍‌ ବିଜୟୀ ପାଳି ଖେଳିବାରୁ ତାଙ୍କୁ ସାମାଜିକ ଗଣମାଧ୍ୟମରେ ଅନେକ ଲୋକ ପ୍ରଶଂସା କରିଥିଲେ । ହେଲେ ସେ ପାକିସ୍ତାନର ଏହି ବିଜୟକୁ ଗାଜାବାସୀଙ୍କୁ ଉତ୍ସର୍ଗ କରିଥିବାରୁ ଏହାକୁ କିଛି ଲୋକ ସହଜରେ ଗ୍ରହଣ କରିପାରିନାହାନ୍ତି । ରିଜୱାନ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ଏହି ବିଜୟ ଗାଜାରେ ଥିବା ଆମ ଭାଇ ଓ ଭଉଣୀମାନଙ୍କ ପାଇଁ । ଦଳର ବିଜୟରେ ଯୋଗଦାନ କରିଥିବାରୁ ମୁଁ ବେଶ ଖୁସି । ପୂରା ଟିମ ବିଶେଷ କରି ଅବଦୁଲ୍ଲା ସେଫିକ୍‌ ଓ ହାସନ ଅଲ୍ଲୀଙ୍କୁ ବିଜୟର ଶ୍ରେୟ ଦେବାକୁ ଚାହେଁ । କାରଣ ସେମାନେ ଦଳ ପାଇଁ ବିଜୟକୁ ସହଜ କରାଇଥିଲେ । ଆତିଥ୍ୟତା ଓ ସମର୍ଥନ ପାଇଁ ହାଇଦ୍ରାବାଦର ଲୋକଙ୍କ ପାଖରେ କୃତଜ୍ଞ ।" ଏହାପରେ ବିଶ୍ବ ରାଜନୀତି ଛାଡ଼ି କ୍ରିକେଟ ଉପରେ ଫୋକସ କରିବାକୁ ଅନେକ ରିଜ୍‌ୱାନଙ୍କୁ ପରାମର୍ଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details