ମୁମ୍ବାଇ: ଚଳିତ ଆଇସିସି କ୍ରିକେଟ ବିଶ୍ବକପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିଛି ଟିମ ଇଣ୍ଡିଆ । 'ମେନ ଇନ ବ୍ଲ୍ୟୁ'ଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଆଜି ଭାରତ ପ୍ରଥମ ଟିମ୍ ଭାବେ ଫାଇନାଲରେ ପହଞ୍ଚିଛି । ଗତକାଲି (ବୁଧବାର) ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ସେମି ଫାଇନାଲ ମ୍ୟାଚ୍ରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଟିମର ନେତୃତ୍ବ ନେଉଛନ୍ତି ନିସ୍ବାର୍ଥ ତଥା ନିର୍ଭୟ ଅଧିନାୟକ ରୋହିତ ଶର୍ମା । ବିଶେଷ କରି ଭାରତର ବୋଲରମାନେ କମାଲ କରିଛନ୍ତି । ଟିମ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଆସନ୍ତୁ ଜାଣିବା କିପରି ଥିଲା ଏହି ଯାତ୍ରା ।
୨୦୧୯ ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ହାରିଥିଲା ଭାରତ । ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଇତିହାସର ପୁନରାବୃତ୍ତି ହୋଇଥିଲା । ବିଶ୍ବକପ ସେମି ଫାଇନାଲ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିଲା । ହେଲେ ନିଜ ଭୁଲକୁ ଦୋହରାଇନଥିଲେ 'ମେନ୍ ଇନ୍ ବ୍ଲ୍ୟୁ' । ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିବା ନ୍ୟୁଜିଲାଣ୍ଡ ଟିମକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଇଣ୍ଡିଆ । ସବୁଠୁ ଖାସ୍ କଥା ହେଉଛି ଟିମର ଷ୍ଟାର ବୋଲର ପାଲଟିଥିବା ମହମ୍ମଦ ସାମିଙ୍କ ୭ଟି ୱିକେଟ ଏହି ବିଜୟଯାତ୍ରାକୁ ସହଜ କରିଥିଲା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ମହମ୍ମଦ ସାମି ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇଥିଲେ । ଏହାପରେ ସେ କ୍ରମାଗତ ଭାବେ ନିଜର କମାଲ ଦେଖାଇ ଅନେକ ଥର ଟିମର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଛନ୍ତି ।
ଏହା ବି ପଢନ୍ତୁ- ବିଶ୍ବକପ୍ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍ରେ ପହଞ୍ଚାଇଲେ ଶାମି
ଚଳିତ ବିଶ୍ବକପରେ ଉଭୟ ବ୍ୟାଟିଂ ଓ ବୋଲିଂ ଅର୍ଡର ଚମତ୍କାର ପ୍ରଦର୍ଶନ କରିଛନ୍ତି । ସମସ୍ତ ୧୧ କ୍ରିକେଟର ନିଜ ନିଜର ଭୂମିକାକୁ ସଠିକ ଭାବେ ଓ ସଠିକ ସମୟରେ ଉପଯୋଗ କରିଛନ୍ତି । ସେପଟେ ଅଭିଜ୍ଞ ଅଧିନାୟକ ରୋହିତ ଶର୍ମା ନିଜର ପୂର୍ବ ଅଭିଜ୍ଞତାକୁ ଉପଯୋଗ କରି ଏକ ସର୍ବୋତ୍କୃଷ୍ଟ ଅଧିନାୟକର ପ୍ରମାଣ ଦେଇଛନ୍ତି । ନିସ୍ବାର୍ଥପର ଗେମ୍ ଖେଳି ସେ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ରୋହିତ ନିଜ ବ୍ୟକ୍ତିଗତ ସ୍କୋରକୁ ଗୁରୁତ୍ବ ଦେଉନଥିବା ସତ୍ତ୍ବେ ପ୍ରତିଟି ମ୍ୟାଚ୍ରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ରୋହିତ ଦଳକୁ ଏକ ଭଲ ଆରମ୍ଭ ଦେବା ଉପରେ ଗୁରୁତ୍ବ ଦେଉଛନ୍ତି । ଫଳରେ ଟିମର ମିଡଲ ଅର୍ଡର ବ୍ୟାଟରମାନେ ବିନା ଚାପରେ ଖେଳି ଏକ ଭଲ ସ୍କୋର କରିପାରୁଛନ୍ତି ।
ସେପଟେ ଟିମର ଅନ୍ୟତମ ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ବଳିଷ୍ଠ ଭୂମିକା ଗ୍ରହଣ କରିଛନ୍ତି । ବିରାଟ ଅନେକ କୀର୍ତ୍ତିମାନ ଅର୍ଜନ କରିଥିବା ବେଳେ ଟିମରେ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମାଷ୍ଟର ବ୍ଲାଷ୍ଟର ସଚିନଙ୍କୁ ଅତିକ୍ରମ କରି ଦିନିକିଆ ମ୍ୟାଚ୍ରେ ସର୍ବାଧିକ ଶତକ ହାସଲ କରିଛନ୍ତି ବିରାଟ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୮ଥର 50+ ରନ୍, ୩ଟି ଶତକ ଓ ସର୍ବାଧିକ ସ୍କୋରର (୭୧୧) ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ସେପଟେ ଭାରତୀୟ ବ୍ୟାଟର ଶ୍ରେୟାସ ଆୟର ମଧ୍ୟ ଏକ ଭଲ କମବ୍ୟାକ୍ କରିଛନ୍ତି । ସେ ନିଜ ପ୍ରଥମ ବିଶ୍ବକପ ମ୍ୟାଚ୍ରେ ୨ଟି ଶତକ ହାସଲ କରିଛନ୍ତି । ଗତକାଲି ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍ରେ ଶ୍ରେୟାସ ଆୟରଙ୍କ ଧମାକାଦାର ଶତକ ଦେଖିବାକୁ ମିଳିଥିଲା । ଯାହାକି ଦଳର ବିଜୟରେ ବେଶ ସହାୟକ ହୋଇଥିଲା ।