ଓଡିଶା

odisha

ETV Bharat / sports

Cricket World Cup 2023: ବୋଲିଂ ଆଟାକ୍‌ରେ ଅଭିଜ୍ଞତାର ଅଭାବ, ପାକିସ୍ତାନ ବିପକ୍ଷ ପରାଜୟର କାରଣ କହିଲେ ମହୀଶ ତୀକ୍ଷାଣା - ପାକିସ୍ତାନ ବିପକ୍ଷ ପରାଜୟର କାରଣ କହିଲେ ମହୀଶ ତୀକ୍ଷାଣା

ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରି ସ୍କୋରବୋର୍ଡରେ ୩୪୪ ରନର ବଡ଼ ସ୍କୋର କରିବା ସତ୍ତ୍ବେ ମଙ୍ଗଳବାର ବିଶ୍ବକପ୍‌ ୨୦୨୩ରେ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଥିଲା ଶ୍ରୀଲଙ୍କା । ତେବେ ଏହାର କାରଣ କହିଛନ୍ତି ଦଳର ଯୁବ ବୋଲର ମହୀଶ ତୀକ୍ଷାଣା । ଦଳର ବୋଲିଂ କ୍ରମରେ ଅଭିଜ୍ଞତାର ଅଭାବ ଏହି ପରାଜୟର କାରଣ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

ପାକିସ୍ତାନ ବିପକ୍ଷ ପରାଜୟର କାରଣ କହିଲେ ମହୀଶ ତୀକ୍ଷାଣା
ପାକିସ୍ତାନ ବିପକ୍ଷ ପରାଜୟର କାରଣ କହିଲେ ମହୀଶ ତୀକ୍ଷାଣା

By ETV Bharat Odisha Team

Published : Oct 11, 2023, 5:33 PM IST

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ରେ ମଙ୍ଗଳବାର ପାକିସ୍ତାନ ଏହାର ଦ୍ବିତୀୟ ବିଜୟ ହାସଲ କରିଥିବାବେଳେ ଶ୍ରୀଲଙ୍କାର ପରାଜୟ ଧାରା ବଜାୟ ରହିଛି । ଏହି ମ୍ୟାଚ୍‌ରେ ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍‌ ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଦଳର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନରେ ବିସ୍ଫୋରକ ପାଳି ଖେଳି ପାକିସ୍ତାନ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରାଇଥିଲେ । ଏହାସତ୍ତ୍ବେ ପାକ୍‌ ବ୍ୟାଟରମାନେ ଧୂଆଁଧାର ପାଳି ଖେଳି ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ । ତେବେ ଏହାର କାରଣ ବିଷୟରେ କହିବାକୁ ଯାଇ ନିଜ ଦଳର ବୋଲିଂକ୍ରମରେ ଅଭିଜ୍ଞତାର ଅଭାବକୁ ଦାୟୀ କରିଛନ୍ତି ଶ୍ରୀଲଙ୍କାର ଯୁବ ଦୃତ ବୋଲର ମହୀଶ ତୀକ୍ଷାଣା ।

'ସବୁ ବିଭାଗରେ ତୃଟି କରିଛୁ': ବ୍ୟାଟିଂରେ ମଧ୍ୟ ଦଳ କିଛି ମାତ୍ରାରେ ପଛରେ ରହିଯାଇଥିବା ତୀକ୍ଷାଣା ଅନୁଭବ କରିଛନ୍ତି । ସେ କହିଛନ୍ତି, "ପିଚ୍‌ରୁ ବ୍ୟାଟିଂକୁ ଯେପରି ସହାୟତା ମିଳୁଥିଲା, ଆମ ପାଖରେ ୩୭୦ କିମ୍ବା ୩୮୦ ରନ କରିବାର ସୁଯୋଗ ରହିଥିଲା । ହେଲେ ଆମେ କେବଳ ଏହାଠାରୁ ପ୍ରାୟ ୨୦ ରନ ପଛରେ ରହିଯାଇଥିଲୁ । ବୋଲିଂରେ ମଧ୍ୟ ଆମେ ଅନେକ ଭୁଲ କରିଛୁ । ଆମ ଯୋଜନା ଗୁଡ଼ିକୁ ମଧ୍ୟ ସଠିକ ଭାବେ କାର୍ଯ୍ୟକାରୀ କରିପାରିନଥିଲୁ । ସମାନ ଭାବେ ଫିଲ୍ଡିଂରେ ମଧ୍ୟ ଆମେ ଭଲ ପ୍ରଦର୍ଶନ କରିପାରିନଥିଲୁ । ତେଣୁ ସମସ୍ତ ବିଭାଗରେ ଖରାପ ପ୍ରଦର୍ଶନ ଯୋଗୁଁ ଆମେ ଏହି ମ୍ୟାଚ୍‌ରେ ହାରିଗଲୁ ।"

'ବୋଲିଂ ବିଭାଗରେ ଅଭିଜ୍ଞତାର ଅଭାବ': ତୀକ୍ଷାଣା କହିଛନ୍ତି, "ଆମ ପାଖରେ ରହିଥିବା ସ୍ପିନରମାନଙ୍କ ନିକଟରେ ସେତେ ଅଭିଜ୍ଞତା ନାହିଁ । ଏପରିକି ସେମାନେ ଭାରତର କୌଣସି ସ୍ଥାନରେ ମ୍ୟାଚ୍‌ ମଧ୍ୟ ଖେଳି ନାହାନ୍ତି । କେବଳ ମୁଁ ଓ ହସରଙ୍ଗା ଭାରତର ବିଭିନ୍ନ ସ୍ଥାନରେ ମ୍ୟାଚ୍‌ ଖେଳିଛୁ । ତେଣୁ ସେମାନଙ୍କୁ ଏଠାରେ ଅଧିକ ମ୍ୟାଚ୍‌ ଖେଳି ଅଭିଜ୍ଞତା ହାସଲ କରିବାକୁ ପଡ଼ିବ । ମୁଁ ମଧ୍ୟ ହାଇଦ୍ରାବାଦରେ କୌଣସି ମ୍ୟାଚ୍‌ ଖେଳିନାହିଁ । ତେବେ ଆମକୁ ସଠିକ୍‌ ଯୋଜନା ଅନୁଯାୟୀ କାମ କରିବାକୁ ହେବ । ପରବର୍ତ୍ତୀ ମ୍ୟାଚ୍‌ରେ ଆମେ ଏହି କାର୍ଯ୍ୟ ସଠିକ ଭାବେ କରିପାରିବୁ ବୋଲି ଆଶା କରୁଛି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସଫିକ୍‌-ରିଜ୍‌ୱାନଙ୍କ ଶତକୀୟ ପାଳି, ୬ ୱିକେଟ୍‌ରେ ଜିତିଲା ପାକିସ୍ତାନ

'ଶେଷ ୧୦ ଓଭରରେ ବ୍ୟାଟିଂରେ ପଛରେ ରହିଗଲୁ': ଶ୍ରୀଲଙ୍କା ପାଳିର ୪୦ ତମ ଓଭର ବେଳକୁ ୪ ୱିକେଟ୍‌ ବିନିମୟରେ ଦଳୀୟ ସ୍କୋର ୨୮୩ ରନ୍‌ ହୋଇଥିଲା । ହେଲେ ଶେଷ ୧୦ ଓଭରରେ ୫ ୱିକେଟ୍‌ ହରାଇ ଦଳ କେବଳ ୬୧ ରନ୍‌ ହିଁ କରିବାରେ ସକ୍ଷମ ହୋଇଥିଲା । ଏହା ହିଁ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି ତୀକ୍ଷାଣା କହିଛନ୍ତି । ସେ କହିଛନ୍ତି, "ଶେଷ ୧୦ ଓଭରରେ ୱିକେଟ୍‌ ଧିମା ହୋଇଯାଇଥିଲା । ପାକ୍‌ ବୋଲରମାନେ ଅନେକ ଧିମା ଗତିର ବଲ୍‌ ମଧ୍ୟ ବୋଲିଂ କରିଥିଲେ । ହେଲେ ଆମେ ଏହାକୁ ସଠିକ୍‌ ଭାବେ ଖେଳିପାରିନଥିଲୁ । ଏହି ଶେଷ ୧୦ ଓଭର ଓ ଆମ ବୋଲିଂ ପାଳିର ମଧ୍ୟକ୍ରମ ଓଭର ଗୁଡ଼ିକ ମ୍ୟାଚ୍‌ର ଟର୍ଣ୍ଣିଂ ପଏଣ୍ଟ ବୋଲି ମୁଁ ଅନୁଭବ କରୁଛି ।"

'୩୭୦ ରନ୍‌ ହୋଇଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା': ତୀକ୍ଷାଣାଙ୍କ ଅନୁଯାୟୀ, ଭାରତୀୟ ପିଚ୍‌ରେ ଜଣେ ବୋଲରଙ୍କ ପାଇଁ ତ୍ରୁଟିର ସ୍ଥାନ ନାହିଁ । ସେ କହିଛନ୍ତି, "ବାସ୍ତବରେ ଆମେ ପାରମ୍ପାରିକ ଭାବରେ ଆମର ବୋଲିଂ ଶକ୍ତି ମାଧ୍ୟମରେ ମ୍ୟାଚ୍‌ ଜିତୁ । ଏଠାରେ ଖେଳିବା ଓ ଶ୍ରୀଲଙ୍କାରେ ଖେଳିବା ମଧ୍ୟରେ ପାର୍ଥକ୍ୟ ରହିଛି । ଲାଇନ୍‌ କିମ୍ବା ଲେନ୍ଥରେ ସାମାନ୍ୟ ଭୁଲ୍‌, ବ୍ୟାଟରକୁ ସହଜରେ ଏକ ବାଉଣ୍ଡରୀ ହିଟ୍‌ କରିବାରେ ସାହାଯ୍ୟ କରିଥାଏ । ଅନ୍ୟ ଉଲ୍ଲେଖନୀୟ ପାର୍ଥକ୍ୟ ହେଉଛି ଏହି ପିଚ୍‌ ଗୁଡ଼ିକରେ ହାଇସ୍କୋରିଂ ମ୍ୟାଚ୍‌ ହୋଇଥାଏ । ଦ୍ବିତୀୟରେ ବ୍ୟାଟିଂ କରୁଥିବା ଦଳ ଏକ ବଡ଼ ଟାର୍ଗେଟ୍‌ ହାସଲ କରିନେଇଥାଏ । ମୁଁ ଭାବୁଛି, ଯଦି ଆମେ ଅତିକମରେ ୩୭୦ ରନ୍ ସ୍କୋର କରିଥାନ୍ତୁ, ଫଳାଫଳ ଭିନ୍ନ ହୋଇଥାନ୍ତା ।"

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: 'ହାଇଦ୍ରାବାଦରେ ଖେଳିବାର ଅନୁଭବ ରାୱଲପିଣ୍ଡି ଭଳି', ଶ୍ରୀଲଙ୍କା ବିଜୟ ପରେ ଏମିତି କହିଲେ ରିଜ୍‌ୱାନ

କୁସଲ ଓ ସମରବିକ୍ରମଙ୍କୁ ତୀକ୍ଷାଣାଙ୍କ ପ୍ରଶଂସା: ଏହି ମ୍ୟାଚ୍‌ରେ ଦଳ ପାଇଁ ଉଭୟ କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ବିସ୍ଫୋରକ ପାଳି ଖେଳି ଶତକ ହାସଲ କରିଥିଲେ । ଏନେଇ ତୀକ୍ଷାଣା କହିଛନ୍ତି, "ଯଦି କୁସଲଙ୍କ ସମ୍ପ୍ରତି ପ୍ରଦର୍ଶନ ଉପରେ ନଜର ପକାଇବା, ସେ ସବୁବେଳେ ଆକ୍ରମଣାତ୍ମକ ଖେଳୁଛନ୍ତି ଏବଂ ଏଭଳି ପିଚ୍‌ ସହିତ ଭଲ ଭାବରେ ଖାପ ଖାଉଛନ୍ତି । ମୁଁ ସେମାନଙ୍କ ପ୍ରତିଭାକୁ ଅପମାନିତ କରୁନାହିଁ, କିନ୍ତୁ ଏଭଳି ପିଚ୍‌ ଅଧିକ ରନ୍‌ ସଂଗ୍ରହ କରିବାକୁ ସହଜ କରିଥାଏ । ଶ୍ରୀଲଙ୍କାରେ ଆମର ଖେଳାଳିଙ୍କ ଠାରୁ ଏଭଳି ପ୍ରଦର୍ଶନ ଆମେ ଦେଖିନାହୁଁ । ଯେତେବେଳେ କୁସଲ ଓ ସଦୀରା ବ୍ୟାଟିଂ କରୁଥିଲେ, ଆମେ ବେଶ ଆଗରେ ରହିଥିଲୁ । ହେଲେ କୁସଲ ଆଉଟ୍‌ ହେବାପରେ ଆମେ ଆମର ଗତି ହରାଇଥିଲୁ ଏବଂ କ୍ରମାଗତ ଭାବେ ୱିକେଟ୍‌ ହରାଇ ଚାଲିଲୁ, ଯାହା ଆମ ଖେଳକୁ ପ୍ରଭାବିତ କରିଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details