ଓଡିଶା

odisha

ETV Bharat / sports

Cricket World Cup 2023: 'ଶାହୀନଙ୍କୁ ଏତେ ପ୍ରଂଶସା କାହିଁକି ? ସେ ୱାସିମ ଆକ୍ରମ ନୁହଁନ୍ତି'

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ତେବେ ଏହି ମ୍ୟାଚ୍‌ ସମୟରେ ପାକିସ୍ତାନ ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ । ଶାହୀନଙ୍କୁ ଏତେ ପ୍ରଂଶସା କରିବାର କୌଣସି କାରଣ ନାହିଁ ବୋଲି କହିଥିଲେ ରବି ଶାସ୍ତ୍ରୀ । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Oct 15, 2023, 10:47 PM IST

ଶାହୀନଙ୍କୁ ନେଇ ଏମିତି କହିଲେ ରବି ଶାସ୍ତ୍ରୀ
ଶାହୀନଙ୍କୁ ନେଇ ଏମିତି କହିଲେ ରବି ଶାସ୍ତ୍ରୀ

ଅହମ୍ମଦାବାଦ: ବିଶ୍ବକପ୍‌ରେ ପୁଣିଥରେ ଭାରତ ବିପକ୍ଷରେ ମାତ୍ ଖାଇଲା ପାକିସ୍ତାନ । ବିଶ୍ବକପ୍‌ ୨୦୨୩ରେ ଶନିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଓ ଶ୍ରେୟସ ଆୟରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିଛି । ଭାରତୀୟ ଘାତକ ବୋଲିଂ ଆଟାକ୍‌ ଆଗରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ପରେ ଭାରତର ବ୍ୟାଟିଂ ଆଗରେ ପାକିସ୍ତାନର ବୋଲିଂ ବିଭାଗ ଚିତପଟାଙ୍ଗ ମାରିଥିଲା । ମ୍ୟାଚ୍‌ ସମୟରେ ପାକିସ୍ତାନ ଷ୍ଟାର ବୋଲର ଶାହୀନ ଆଫ୍ରିଦିଙ୍କୁ ନେଇ ଏକ ବଡ଼ ବୟାନ ଦେଇଥିଲେ ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ।

ପାକିସ୍ତାନର ବୋଲିଂ ବିଭାଗକୁ ସବୁଠାରୁ ଶକ୍ତିଶାଳୀ କୁହାଯାଉଥିଲେ ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍‌ରେ ଏହା ଭୁଲ ପ୍ରମାଣିତ ହୋଇଛି । ଯାହାକୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତନ ପ୍ରଶିକ୍ଷକ ତଥା ବିଶ୍ବକପ୍‌ ୨୦୨୩ରେ ଭାଷ୍ୟକାର ଦାୟିତ୍ବ ତୁଲାଉଥିବା ରବି ଶାସ୍ତ୍ରୀ ଏକ ବଡ଼ ବୟାନ ଦେଇଥିଲେ । ଭାରତ-ପାକ୍‌ ମ୍ୟାଚ ସମୟରେ କମେଣ୍ଟ୍ରି କରୁଥିବା ସମୟରେ ରବି ଶାସ୍ତ୍ରୀ ପାକିସ୍ତାନର ବୋଲିଂ ଆଟାକ୍‌କୁ ନେଇ କହିଥିଲେ, "ଲୋକେ ମୋତେ କହୁଛନ୍ତି ପାକିସ୍ତାନ ପାଖରେ ଶକ୍ତିଶାଳୀ ବୋଲିଂ ଆଟାକ୍‌ ରହିଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । ପାକିସ୍ତାନ ବୋଲିଂ ବିଭାଗ ସେତେ ମଧ୍ୟ ଶକ୍ତିଶାଳୀ ନୁହେଁ । ନସୀମ ଶାହା ବିଶ୍ବକପ୍‌ ଖେଳୁନାହାନ୍ତି । ପାକିସ୍ତାନର ସ୍ପିନ୍‌ ବିଭାଗ ପ୍ରଭାବୀ ପ୍ରଦର୍ଶନ କରିବାରେ ବିଫଳ । ଦ୍ରୁତ ବୋଲର ଶାହୀନ ଆଫ୍ରିଦି ମଧ୍ୟ ୱାସିମ ଆକ୍ରମ ନୁହଁନ୍ତି । ଯଦିଓ ଶାହୀନ ଭଲ ବୋଲର, ନୂଆ ବଲରେ ୱିକେଟ୍‌ ନେବାର ଦକ୍ଷତା ତାଙ୍କର ରହିଛି । କିନ୍ତୁ ତାଙ୍କୁ ଏତେ ପ୍ରଂଶସା କରିବାର ଆବଶ୍ୟକତା ନାହିଁ । ଯାହା ସତ ତାହାକୁ ସ୍ବୀକାର କରିବାକୁ ପଡିବ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ତେବେ ରବି ଶାସ୍ତ୍ରୀ ଏଭଳି ବୟାନ ଦେବା ମଧ୍ୟ ଯୁକ୍ତିଯୁକ୍ତ । କାରଣ ଶାହୀନ ଆଫ୍ରିଦି ଭାରତ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ବୋଲି ମ୍ୟାଚ୍ ପୂର୍ବରୁ ଅନେକ କ୍ରିକେଟର କହୁଥିଲେ । ପୂର୍ବରୁ ମଧ୍ୟ ସେ ଭାରତର ଟପ୍ ଅର୍ଡରକୁ ଅଡୁଆରେ ପକାଇଛନ୍ତି । କିନ୍ତୁ ଏଥର ଶାହୀନଙ୍କ ନିର୍ଦ୍ଧୁମ ଧୂଲେଇ କରିଥିଲେ ରୋହିତ ଶର୍ମା । ଅନ୍ୟପଟେ ଟିମ୍ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟର ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି । ଦମଦାର ବ୍ୟାଟିଂ ବଳରେ ବିଶ୍ବକପରେ ହାଟ୍ରିକ ବିଜୟର ସ୍ବାଦ ଚାଖିଛି ଭାରତ । ଏହା ସହିତ ପଏଣ୍ଟ୍ସ ଟେବୁଲରେ ମଧ୍ୟ ଶୀର୍ଷରେ ରହିଛି ଟିମ୍‌ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details