ହାଇଦ୍ରାବାଦ: ବିଶାଳ ସ୍କୋର କରିବା ସତ୍ତ୍ବେ ପାକିସ୍ତାନକୁ ଅଟକାଇ ପାରିଲାନି ଶ୍ରୀଲଙ୍କା । ଅବଦୁଲ୍ଲା ସଫିକ୍ ଓ ମହମ୍ମଦ ରିଜ୍ୱାନଙ୍କ ଶତକୀୟ ପାଳି ବଳରେ ୬ ୱିକେଟ୍ରେ ଚଳିତ ବିଶ୍ବକପ୍ର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ବିଶ୍ବକପ୍ ୨୦୨୩ରେ ମଙ୍ଗଳବାର ଅଷ୍ଟମ ମ୍ୟାଚ୍ ପାଇଁ ହାଇଦ୍ରାବାଦରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ଶ୍ରୀଲଙ୍କା । ପ୍ରଥମ ବିଜୟ ସନ୍ଧାନରେ ରହିଥିବା ଶ୍ରୀଲଙ୍କା ବ୍ୟାଟର୍ ଆଜି ପାକିସ୍ତାନ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ଶ୍ରୀଲଙ୍କାର କୁସଲ ମେଣ୍ଡିସ ଓ ସଦୀରା ସମରବିକ୍ରମ ଯଥାକ୍ରମେ ୧୨୨ ଓ ୧୦୮ ରନରେ ବିସ୍ଫୋରକ ପାଳି ଖେଳି ବିପକ୍ଷ ଦଳ ଆଗରେ ୩୪୫ ରନର ବିଶାଳ ଲକ୍ଷ୍ୟ ଛିଡ଼ା କରାଇଥିଲେ । ହେଲେ ଉଭୟଙ୍କ ପାଳିକୁ ଫିକା କରିଦେଇଛନ୍ତି ପାକିସ୍ତାନର ଅବଦୁଲ୍ଲା ସଫିକ୍ ଓ ମହମ୍ମଦ ରିଜ୍ୱାନ ।
ଶ୍ରୀଲଙ୍କା ବ୍ୟାଟିଂ: ଆଜି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ ଦସୁନ ସଣକା । ଏହାପରେ ଦ୍ବିତୀୟ ଓଭରରେ ହିଁ ଦଳକୁ ପ୍ରଥମ ଝଟ୍କା ଲାଗିଥିଲା । କୁସଲ ପେରେରା ଖାତା ଖୋଲିବା ଆଗରୁ ରିଜ୍ୱାନଙ୍କ ଶିକାର ପାଲଟିଥିଲେ । ଏହାପରେ ଦଳର ଅନ୍ୟତମ ଓପନର ପଥୁମ ନିଶଙ୍କଙ୍କ ସହ ମିଶି ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ କୁସାଲ ମେଣ୍ଡିସ । ଉଭୟ ଦ୍ବିତୀୟ ୱିକେଟ୍ ପାଇଁ ଦଳୀୟ ଖାତାରେ ୧୦୨ ରନ୍ ଯୋଡ଼ିଥିଲେ । ନିଶଙ୍କ ୬୧ ବଲରୁ ୫୧ ରନ୍ କରିଥିବାବେଳେ ସାଫିକ୍ଙ୍କ ବଲ୍ରେ ପାଭିଲିୟନ ଫେରିଥିଲେ । ତେବେ ମେଣ୍ଡିସ ତାଙ୍କର ଜୋରଦାର ଆକ୍ରମଣ ଜାରି ରଖିଥିଲେ । ସେ ଆଜି ଚଳିତ ବିଶ୍ବକପ୍ରେ ଏପର୍ଯ୍ୟନ୍ତ ଦୃତତମ ଶତକ ହାସଲ କରିଥିଲେ । କେବଳ ୬୫ ବଲରୁ ନିଜର ଶତକ ହାସଲ କରିନେଇଥିବା ମେଣ୍ଡିସ ଆଜିର ମ୍ୟାଚ୍ରେ ୭୭ ବଲ ଖେଳି ୧୪ ଚୌକା ଓ ୬ ଛକା ବଳରେ ୧୨୨ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଏହାପରେ ମଧ୍ୟ ସଦୀରା ସମରବିକ୍ରମଙ୍କ ଆକ୍ରମଣରୁ ବର୍ତ୍ତିପାରିନଥିଲେ ପାକ୍ ବୋଲର । ସମରବିକ୍ରମ ୮୯ ବଲରୁ ୧୧ ଚୌକା ଓ ୨ ଛକା ସହିତ ୧୦୮ ରନର ବଡ଼ ପାଳି ଖେଳି ଦଳୀୟ ସ୍କୋରବୋର୍ଡକୁ ଏକ ବିଶାଳ ସ୍କୋର ଆଡ଼କୁ ଗତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ଧନଞ୍ଜୟ ଡି ସିଲ୍ଭା ୨୫ ରନର ପାଳି ଖେଳିଛନ୍ତି । ଅନ୍ୟ କୌଣସି ବ୍ୟାଟର ୨୦ ରନ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୩୪୪ ରନ୍ ସଂଗ୍ରହ କରିଥିଲା ।
ପାକିସ୍ତାନ ବୋଲିଂ: ପାକିସ୍ତାନ ପକ୍ଷରୁ ହାସନ ଅଲ୍ଲୀ ଯଦିଓ ସର୍ବାଧିକ ୪ ୱିକେଟ ସଫଳତା ପାଇଥିଲେ, ହେଲେ ସେ ୧୦ ଓଭରରୁ ୭୧ ରନ ବ୍ୟୟ ମଧ୍ୟ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାରିସ ରୌଫ ୨ଟି ୱିକେଟ ନେଇଥିବାବେଳେ ସାହୀନ ଆଫ୍ରିଦି, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ତେବେ ପାକ୍ ଦଳ ଏହାର ପ୍ରଥମ ମ୍ୟାଚ୍ରେ ନେଦରଲାଣ୍ଡ୍ସ ବିପକ୍ଷରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଦଳକୁ ବିଜୟଧାରା ଜାରି ରଖିବାକୁ ହେଲେ ୫୦ ଓଭରରେ ୩୪୫ ରନର ଆବଶ୍ୟକତା ରହିଥିଲା ।