ଓଡିଶା

odisha

ETV Bharat / sports

Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ - ବିରାଟ କୋହଲି

ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ମିଶନ ୮-୦ ସଫଳ କରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତ କେବଳ ୩ ୱିକେଟ୍‌ ହରାଇ ୩୦.୩ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଛି । ଦମଦାର ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା । ଅଧିକ ପଢ଼ନ୍ତୁ

India wins by 7 wickets
୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

By ETV Bharat Odisha Team

Published : Oct 14, 2023, 8:11 PM IST

Updated : Oct 14, 2023, 9:14 PM IST

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ରେ ପୁଣି ଇତିହାସକୁ ଦୋହରାଇଲା ଭାରତ । ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଫଳାଫଳ ପୁଣି ସମାନ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୭ ୱିକେଟ୍‌ରେ ଜିତି ମିଶନ ୮-୦ ସଫଳ କରିଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ହେଲେ ଭାରତ କେବଳ ୩୦.୩ ଓଭରରେ ୩ ୱିକେଟ୍‌ ହରାଇ ପୁଣିଥରେ ପାକିସ୍ତାନ ଉପରେ ବିଜୟଲାଭ କରିଛି । ଦମଦାର ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ।

ପାକିସ୍ତାନ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପାକିସ୍ତାନ ପାଇଁ ପାଳି ଆରମ୍ଭ କରିବାକୁ ଆସି ବେଶ ଦମଦାର ଆରମ୍ଭ କରିଥିଲେ ଦୁଇ ଓପନର ଅବଦୁଲ୍ଲା ସେଫିକ୍‌ ଓ ଇମାମ୍‌ ଉଲ୍‌ ହକ୍‌ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୪୧ ରନ ଯୋଡ଼ିଥିଲେ । ହେଲେ ଅବଦୁଲ୍ଲାଙ୍କ ୱିକେଟ ସହ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହମ୍ମଦ ସିରାଜ । ଏହାପରେ ଅଧିନାୟକ ବାବର ଆଜମଙ୍କ ସହ ଇମାମ୍‌ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ । ସେ ୩୬ ରନର ପାଳି ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ । ବାବର ଓ ରିଜ୍‌ୱାନ ଚିରାଚରିତ ଭାବେ ପାଳି ସମ୍ଭାଳିଥିଲେ । ଆରମ୍ଭରୁ ଆକ୍ରାମକ ଖେଳୁଥିବା ବାବର ୱିକେଟ୍‌କୁ ସମ୍ଭାଳି ଅର୍ଦ୍ଧଶତକ ହାସଲ କରିନେଇଥିଲେ । ଏହାପରେ ତୁରନ୍ତ ସିରାଜ ତାଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ । ଗୋଟିଏ ପଟେ ରିଜ୍‌ୱାନ ପାଳି ସମ୍ଭାଳୁଥିବାବେଳେ ଅନ୍ୟପଟେ କ୍ରମାଗତ ୱିକେଟ୍‌ ପତନ ଘଟିଚାଲିଲା । ତେବେ ରିଜ୍‌ୱାନ୍‌ ୬୯ ବଲରୁ ୭ ଚୌକା ସହିତ ୪୯ ରନ କରି ବୁମ୍‌ରାଙ୍କ ବଲରେ ପାଭିଲିୟନ ପହଞ୍ଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାସନ ଅଲ୍ଲୀ ୧୨ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ୪୨.୫ ଓଭରରେ କେବଳ ୧୯୧ ରନ କରି ସମସ୍ତ ୱିକେଟ୍‌ ହରାଇଥିଲା ପାକିସ୍ତାନ ।

ଭାରତ ବୋଲିଂ: ଭାରତ ପକ୍ଷରୁ ଯଦିଓ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା, ହେଲେ ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ କିଛି ମାତ୍ରାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୮ ଓଭରରେ ୫୦ ରନ ବ୍ୟୟ କରିଥିଲେ । ହେଲେ ସେ ଗୁରୁତ୍ବପୂର୍ଣ୍ଣ ସମୟରେ ୨ଟି ବହୁମୂଲ୍ୟ ୱିକେଟ୍‌ ମଧ୍ୟ ଅକ୍ତିଆର କରିବାରେ ସଫଳ ହୋଇଥିଲେ । ସେହିଭଳି ମ୍ୟାଚ୍‌ରେ ଲୋକାଲ ବୟ ଯଶପ୍ରୀତ ବୁମ୍‌ରା ବେଶ ଚମକିଥିଲେ । ସେ ୭ ଓଭରରେ କେବଳ ୧୯ ରନ ବ୍ୟୟ କରି ୨ଟି ୱିକେଟ୍‌ ହାସଲ କରିନେଇଥିଲେ । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ମଧ୍ୟ ୨ଟି ଲେଖାଏଁ ସଫଳତା ସହ ପାକିସ୍ତାନକୁ ୧୯୧ ରନରେ ଅଟକାଇବାରେ ସଫଳ ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଘାତକ ବୋଲିଂ ଆଟାକ୍‌ରେ ଘାଇଲା ପାକିସ୍ତାନ, ଭାରତ ଆଗରେ ଟାର୍ଗେଟ୍‌ ୧୯୨

ଭାରତ ବ୍ୟାଟିଂ: ଏହାପରେ ଭାରତକୁ ଚଳିତ ବିଶ୍ବକପ୍‌ରେ କ୍ରମାଗତ ତୃତୀୟ ତଥା ବିଶ୍ବକପ୍‌ ଇତିହାସରେ ପାକିସ୍ତାନ ଉପରେ ୮-୦ ବିଜୟ ହାସଲ କରିବାକୁ ୧୯୨ ରନର ଆବଶ୍ୟକତା ରହିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସହ ପାଳି ଆରମ୍ଭ କରିବାକୁ ଆସି ବେଶ ଦମଦାର ଆରମ୍ଭ କରିଥିଲେ ଡେଙ୍ଗୁରୁ ସୁସ୍ଥ ହୋଇ ପ୍ରଥମ ବିଶ୍ବକପ୍‌ ମ୍ୟାଚ୍‌ ଖେଳୁଥିବା ଶୁଭମନ ଗିଲ୍‌ । ସେ ୧୧ ବଲରୁ କେବଳ ୪ ଚୌକା ବଳରେ ୧୬ ରନ କରି ଆଉଟ୍‌ ହୋଇଯାଇଥିଲେ । ଗୋଟିଏ ପଟେ ରୋହିତ ଶର୍ମା ପାଳି ସମ୍ଭାଳିଥିବା ବେଳେ ଅନ୍ୟପଟେ ବିରାଟ କୋହଲି ମଧ୍ୟ ଆଉଟ୍‌ ହୋଇଯାଇଥିଲେ । ସେ ୧୮ ବଲରୁ ୩ ଚୌକା ବଳରେ ୧୬ ରନ କରି ଆଉଟ୍‌ ହୋଇଥିଲେ । ଏହାପରେ ୬୩ ବଲରୁ ୬ ଚୌକା ଓ ୬ ଛକା ବଳରେ ବିସ୍ଫୋରକ ବ୍ୟାଟିଂ କରି ୮୬ ରନ କରିଥିବା ଅଧିନାୟ କରୋହିତ ଶର୍ମା ମଧ୍ୟ ଆଉଟ୍‌ ହୋଇଯାଇଥିଲେ । ହେଲେ ସେତେବେଳକୁ ଦଳ ବିଜୟର ନିକଟତର ହୋଇଯାଇଥିଲା । ଶ୍ରେୟସ ଆୟର ୬୨ ବଲରୁ ୩ ଚୌକା ଓ ୨ ଛକା ବଳରେ ଅପରାଜିତ ୫୩ ରନ କରି ଭାରତକୁ ବିଜୟୀ କରାଇଛନ୍ତି । ଅନ୍ୟପଟେ କେଏଲ୍‌ ରାହୁଲ ମଧ୍ୟ ୧୯ ରନର ଉପଯୋଗୀ ପାଳି ଖେଳିଥିଲେ ।

ପାକିସ୍ତାନ ବୋଲିଂ: ପାକିସ୍ତାନ ବୋଲିଂ ଆଟାକ୍‌ର ପ୍ରଦର୍ଶନ ସେଭଳି ଆଖିଦୃଶିଆ ନଥିଲା । ୬ ଓଭରରୁ ୩୬ ରନ ବ୍ୟୟରେ ଶାହୀନ ଆଫ୍ରିଦି ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ହାସନ ଅଲ୍ଲୀ ୬ ଓଭର ବୋଲିଂ କରି ୩୪ ରନ ବ୍ୟୟରେ ଗୋଟିଏ ୱିକେଟ ନେବାରେ ସଫଳ ହୋଇଥିଲେ । ଅନ୍ୟ କୌଣସି ବୋଲର ଦଳକୁ ସଫଳତା ଦେଇପାରିନଥିଲେ । ଫଳରେ ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ପ୍ରଥମ ପରାଜୟ ବରଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2023, 9:14 PM IST

ABOUT THE AUTHOR

...view details