ଓଡିଶା

odisha

By ETV Bharat Odisha Team

Published : Oct 14, 2023, 5:27 PM IST

Updated : Oct 14, 2023, 5:47 PM IST

ETV Bharat / sports

Cricket World Cup 2023: ଘାତକ ବୋଲିଂ ଆଟାକ୍‌ରେ ଘାଇଲା ପାକିସ୍ତାନ, ଭାରତ ଆଗରେ ଟାର୍ଗେଟ୍‌ ୧୯୨

ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ଘାଇଲା ହେଲା ପାକିସ୍ତାନ । ୪୨.୫ ଓଭରରେ କେବଳ ୧୯୧ ରନ କରି ପାକିସ୍ତାନ ଅଲ୍‌ଆଉଟ୍‌ ହୋଇଛି । ଜୟଯାତ୍ରା ଜାରି ରଖିବା ପାଇଁ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

India Need 192 Runs to win
ଭାରତ ଆଗରେ ଟାର୍ଗେଟ୍‌ ୧୯୨

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ର ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଉଛି । ତେବେ ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନ କରି ଅଲ୍‌ଆଉଟ୍‌ ହୋଇଛି । ପାକିସ୍ତାନ ପକ୍ଷରୁ ଦଳର ଅଧିନାୟକ ବାବର ଆଜମ କେବଳ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସକ୍ଷମ ହୋଇଥିଲେ । ମହମ୍ମଦ ରିଜ୍‌ୱାନ ମଧ୍ୟ ସଙ୍ଘର୍ଷପୂର୍ଣ୍ଣ ବ୍ୟାଟିଂ କରି ୪୯ ରନ କରିଥିଲେ । ଏହାପରେ କ୍ରମାଗତ ୱିକେଟ୍‌ ପତନ ଫଳରେ ୪୨.୫ ଓଭରରେ କେବଳ ୧୯୧ ରନରେ ସମସ୍ତ ୱିକେଟ୍‌ ହରାଇଛି ପାକିସ୍ତାନ । ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ୭-୦ ଲିଡ୍‌ରେ ରହିଥିବା ଭାରତକୁ ଅଷ୍ଟମ ବିଜୟ ତଥା ଚଳିତ ବିଶ୍ବକପ୍‌ର ତୃତୀୟ ବିଜୟ ପାଇଁ ୧୯୨ ରନର ଆବଶ୍ୟକତା ରହିଛି ।

ଆଜି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ ଭାରତୀୟ ଅଧିନାୟକ ରୋହିତ ଶର୍ମା । ପାକିସ୍ତାନ ପାଇଁ ପାଳି ଆରମ୍ଭ କରିବାକୁ ଆସି ବେଶ ଦମଦାର ଆରମ୍ଭ କରିଥିଲେ ଦୁଇ ଓପନର ଅବଦୁଲ୍ଲା ସେଫିକ୍‌ ଓ ଇମାମ୍‌ ଉଲ୍‌ ହକ୍‌ । ଉଭୟ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୪୧ ରନ ଯୋଡ଼ିଥିଲେ । ହେଲେ ଅବଦୁଲ୍ଲାଙ୍କ ୱିକେଟ ସହ ଭାରତକୁ ପ୍ରଥମ ସଫଳତା ଦେଇଥିଲେ ମହମ୍ମଦ ସିରାଜ । ଏହାପରେ ଅଧିନାୟକ ବାବର ଆଜମଙ୍କ ସହ ଇମାମ୍‌ ଦଳୀୟ ସ୍କୋରବୋର୍ଡକୁ ଗତି ଦେଇଥିଲେ । ସେ ୩୬ ରନର ପାଳି ଖେଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶିକାର ପାଲଟିଥିଲେ । ବାବର ଓ ରିଜ୍‌ୱାନ ଚିରାଚରିତ ଭାବେ ପାଳି ସମ୍ଭାଳିଥିଲେ । ଆରମ୍ଭରୁ ଆକ୍ରାମକ ଖେଳୁଥିବା ବାବର ୱିକେଟ୍‌କୁ ସମ୍ଭାଳି ଅର୍ଦ୍ଧଶତକ ହାସଲ କରିନେଇଥିଲେ । ଏହାପରେ ତୁରନ୍ତ ସିରାଜ ତାଙ୍କୁ ପାଭିଲିୟନ ଫେରାଇଦେଇଥିଲେ । ଗୋଟିଏ ପଟେ ରିଜ୍‌ୱାନ ପାଳି ସମ୍ଭାଳୁଥିବାବେଳେ ଅନ୍ୟପଟେ କ୍ରମାଗତ ୱିକେଟ୍‌ ପତନ ଘଟିଚାଲିଲା । ତେବେ ରିଜ୍‌ୱାନ୍‌ ୬୯ ବଲରୁ ୭ ଚୌକା ସହିତ ୪୯ ରନ କରି ବୁମ୍‌ରାଙ୍କ ବଲରେ ପାଭିଲିୟନ ପହଞ୍ଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାସନ ଅଲ୍ଲୀ ୧୨ ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ୪୨.୫ ଓଭରରେ କେବଳ ୧୯୧ ରନ କରି ସମସ୍ତ ୱିକେଟ୍‌ ହରାଇଛି ପାକିସ୍ତାନ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଗିଲ୍‌

ଭାରତ ପକ୍ଷରୁ ଯଦିଓ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା, ହେଲେ ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ କିଛିମାତ୍ରାରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ସେ ୮ ଓଭରରେ ୫୦ ରନ ବ୍ୟୟ କରିଛନ୍ତି । ହେଲେ ସେ ଗୁରୁତ୍ବପୂର୍ଣ୍ଣ ସମୟରେ ୨ଟି ବହୁମୂଲ୍ୟ ୱିକେଟ୍‌ ମଧ୍ୟ ଅକ୍ତିଆର କରିବାରେ ସଫଳ ହୋଇଥିଲେ । ସେହିଭଳି ମ୍ୟାଚ୍‌ରେ ଲୋକାଲ ବୟ ଯଶପ୍ରୀତ ବୁମ୍‌ରା ବେଶ ଚମକିଥିଲେ । ସେ ୭ ଓଭରରେ କେବଳ ୧୯ ରନ ବ୍ୟୟ କରି ୨ଟି ୱିକେଟ୍‌ ହାସଲ କରିନେଇଥିଲେ । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜା ମଧ୍ୟ ୨ଟି ଲେଖାଏଁ ସଫଳତା ସହ ପାକିସ୍ତାନକୁ ୧୯୧ ରନରେ ଅଟକାଇବାରେ ସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 14, 2023, 5:47 PM IST

ABOUT THE AUTHOR

...view details