ଲକ୍ଷ୍ନୌ: ବିଶ୍ବକପ୍ ୨୦୨୩ରେ ପ୍ରଥମ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମିଚେଲ ମାର୍ଶ ଓ ଜୋଶ ଇଂଲିଶଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଚଳିତ ସଂସ୍କରଣର ପ୍ରଥମ ବିଜୟର ସ୍ବାଦ ଚାଖିଛି । ଏହି ମ୍ୟାଚ୍ର ପ୍ରଥମ ପାଳିରେ ଦମଦାର ଆରମ୍ଭ ସତ୍ତ୍ବେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲା ଶ୍ରୀଲଙ୍କା । ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ବେଶ ଚମତ୍କାର ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ପାଳିକୁ ବଡ଼ ସ୍କୋର ପର୍ଯ୍ୟନ୍ତ ପହଞ୍ଚାଇ ପାରିନଥିଲେ ଶ୍ରୀଲଙ୍କା ବ୍ୟାଟର । ଏଥିରେ ପ୍ରଥମେ ୧୨୫ ରନ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇ ନଥିଲେ ମଧ୍ୟ କେବଳ ୨୦୯ରେ ଅଲ୍ଆଉଟ୍ ହୋଇଥିଲା ଶ୍ରୀଲଙ୍କା । ଜବାବରେ ୫ ୱିକେଟ୍ ବିନିମୟରେ ଟାର୍ଗେଟ ହାସଲ କରିନେଇଛି କଙ୍ଗାରୁ ଦଳ । ୪ ୱିକେଟ୍ ସଫଳତା ହାତେଇଥିବା ଆଦାମ ଜାମ୍ପା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।
ଶ୍ରୀଲଙ୍କା ବ୍ୟାଟିଂ: ଏହି ମ୍ୟାଚ୍ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦଳୀୟ ଖାତାରେ ସେ ୧୨୫ ରନ ଯୋଡ଼ିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବ । ହେଲେ ୬୭ ବଲରୁ ୬୧ ରନ କରିଥିବା ପଥୁମ ନିଶଙ୍କା ପ୍ରଥମେ ନିଜ ୱିକେଟ୍ ହରାଇଥିଲେ । ପରେରା ମଧ୍ୟ ୭୮ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅସଲଙ୍କା (୨୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଆରମ୍ଭ କରିଥିବା ଦଳ ମାତ୍ର ୨୦୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଅଷ୍ଟ୍ରେଲିଆ ବୋଲିଂ: ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜାମ୍ପା ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ଦଳ ପାଇଁ ୮ ଓଭରରେ ୪୭ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ନେଇଥିଲେ । ଅଧିନାୟକ ପ୍ୟାଟ୍ କମିନ୍ସ ଓ ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ୍ଙ୍କୁ ଗୋଟିଏ ସଫଳତା ମିଳିଥିଲା ।