ଲକ୍ଷ୍ନୌ: ଚଳିତ ବିଶ୍ବକପ୍ ୨୦୨୩ରେ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖି ପାରିନି ୫ ଥରର ବିଶ୍ବ ବିଜେତା ଅଷ୍ଟ୍ରେଲିଆ । ଏପର୍ଯ୍ୟନ୍ତ ଖେଳିଥିବା ଦୁଇଟି ଯାକ ମ୍ୟାଚ୍ରେ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଭାରତ ବିପକ୍ଷରେ ପ୍ରଥମ ମ୍ୟାଚ୍ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିତୀୟ ମ୍ୟାଚ୍ ହାରି ପଏଣ୍ଟ୍ସ ଟେବୁଲର ନିମ୍ନରେ ପଡ଼ିଛି କଙ୍ଗାରୁ ଦଳ । ତେବେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଦଳର ଅଧିନାୟକ ପ୍ୟାଟ୍ କମିନ୍ସ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ଲକ୍ଷ୍ନୌରେ ପ୍ରେସ୍ମିଟ୍ରେ ସେ କହିଛନ୍ତି ବର୍ତ୍ତମାନ ଠାରୁ ଆମ ପାଇଁ ପ୍ରତି ମ୍ୟାଚ୍ ଫାଇନାଲ ଭଳି ।
ଚଳିତ ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରିଥିଲା । ଯେଉଁଥିପାଇଁ ଅଧିକାଂଶ କ୍ରିକେଟ ବିଶେଷଜ୍ଞ ଓ ପୂର୍ବତନ କ୍ରିକେଟର ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପହଞ୍ଚିବ ବୋଲି ଆକଳନ କରିଥିଲେ । ହେଲେ ବର୍ତ୍ତମାନର ସ୍ଥିତି ବଦଳି ଯାଇଛି । ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳି ସାରିଥିଲେ ମଧ୍ୟ ପ୍ରଥମ ବିଜୟ ସନ୍ଧାନରେ ରହିଛି କଙ୍ଗାରୁ ଦଳ । ଯାହାକୁ ନେଇ ଚିନ୍ତା ପ୍ରକଟ କରି ଦଳର ଅଧିନାୟକ କହିଛନ୍ତି, "ଏହା ନିଶ୍ଚିତ ଭାବେ ଆମ ପାଇଁ ଏକ ଭଲ ଆରମ୍ଭ ନୁହେଁ । ଏଥିପାଇଁ ଆମେ ସମସ୍ତେ ନିରାଶ । ତେଣୁ ଏବେଠାରୁ ଆମକୁ ବିଜୟ ଟ୍ରାକ୍କୁ ଫେରିବାକୁ ହେବ । ଏବେଠାରୁ ପ୍ରତି ମ୍ୟାଚ୍ ଆମ ପାଇଁ ଫାଇନାଲ ଭଳି ହେବ । ଏଥିରୁ ଆମକୁ ପ୍ରାୟ ସବୁ ମ୍ୟାଚ୍ ଜିତିବାକୁ ବି ହେବ ।"
ଏହା ମଧ୍ୟ ପଢ଼ନ୍ତୁ...Australia Vs South Africa: ଭାରି ପଡ଼ିଲେ ସାଉଥ ଆଫ୍ରିକା ପେସର୍, ୧୭୭ରେ ଅଲଆଉଟ୍ ଅଷ୍ଟ୍ରେଲିଆ
ସେମିଫାଇନାଲ ଟିକେଟ୍ ପାଇଁ ବର୍ତ୍ତମାନ ସ୍ଥିତିରେ ଅଷ୍ଟ୍ରେଲିଆକୁ ଏହାର ଅଧିକାଂଶ ମ୍ୟାଚ୍ ଜିତିବାକୁ ହେବ । ହେଲେ ଦଳ ପାଇଁ ଆଶ୍ବସ୍ତିକର ବିଷୟ ହେଉଛି, ଦୁଇ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ ଦଳ ସହିତ ଏହାର ମ୍ୟାଚ୍ ସରିଛି ଏବଂ ବାକିଥିବା ଦଳ ଗୁଡ଼ିକ ବିପକ୍ଷରେ ଅଷ୍ଟ୍ରେଲିଆ ଜିତିବାର ଅଧିକ ସମ୍ଭାବନା ଅଛି । ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟ ନେଇ ପ୍ୟାଟ୍ କହିଛନ୍ତି, "ଆମେ ୨୦୧୯ ବିଶ୍ବକପ୍ରେ ମଧ୍ୟ ଏହି ଦୁଇ ଦଳ ବିପକ୍ଷରେ ହାରିଥିଲୁ । ହେଲେ ଆମେ ଏହାପରେ ମଧ୍ୟ ସେମିଫାଇନାଲ୍ରେ ପହଞ୍ଚିପାରିଥିଲୁ । ଏହି ଦୁଇଟି ଦଳ ବିପକ୍ଷରେ ଖେଳିବା ଆମ ପାଇଁ ଅଧିକ ଚ୍ୟାଲେଞ୍ଜିଂ ହୋଇଥାଏ । ହେଲେ ବର୍ତ୍ତମାନ ସୁଯୋଗ ହେଉଛି ଆମ ଆଗରେ କିଛି ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି, ଯାହା ସହ ଆମେ ଅନେକ ଦିନ ଧରି ଖେଳିନଥିଲୁ, ହେଲେ ସେମାନଙ୍କ ବିପକ୍ଷରେ ପୂର୍ବରୁ ଆମକୁ ଅନେକ ସଫଳତା ମିଳିଛି ।"
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଓପନିଂ ମ୍ୟାଚ୍ ଜିତାଇଲେ କୋହଲି-ରାହୁଲ, ବିଜୟରୁ ଭାରତର ବିଶ୍ବକପ୍ ଅଭିଯାନ ଆରମ୍ଭ
ସେ ଆହୁରି କହିଛନ୍ତି, "ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଆମକୁ ଯେଉଁ ସ୍ତରର ପ୍ରଦର୍ଶନ ଦେବା କଥା ଆମେ ଦେଇପାରିନାହୁଁ । ଆମେ ଆମ ଲୟରୁ ଦୂରେଇ ଯାଇଛୁ ଏବଂ ଉଭୟ ଖେଳରେ ପଛରେ ରହିଯାଇଛୁ । ଯେତେବେଳେ ଆମେ ଲୟରେ ରହିଥାଉ, ସ୍କୋରବୋର୍ଡରେ ବଡ଼ ରନ୍ ରଖିଥାଉ । ଆମେ ବିପକ୍ଷ ଦଳ ଉପରେ ଚାପ ପକାଇଥାଉ । ଆମକୁ ପ୍ରକୃତରେ ଏକ ଶକ୍ତିଶାଳୀ ଦଳ କରିବା ପାଇଁ କଣ ଆବଶ୍ୟକ ସେନେଇ ଆମେ ସଚେତନ ରହିଛୁ । ତେବେ ଏହା ବିଶେଷ ବିଳମ୍ବ ମଧ୍ୟ ହୋଇନାହିଁ । ଆମେ ବିଶ୍ବର ୧ ନଂ ଦଳ । ତେଣୁ ଆମକୁ ପଛକୁ ଫେରି ଚାହିଁବାର ଆବଶ୍ୟକତା ନାହିଁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ