ଓଡିଶା

odisha

ETV Bharat / sports

ICC World Cup Trophy Tour: ରାମୋଜୀ ଫିଲ୍ମ ସିଟିରେ ଟ୍ରଫି, ଏହି ସମୟରେ ଦେଖି ପାରିବେ ଫ୍ୟାନ୍ସ

ଅପରାହ୍ଣ 4ଟାରୁ 6ଟା ମଧ୍ୟରେ ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମସିଟିରେ ବିଶ୍ବକପ୍‌ ଟ୍ରଫି ଦେଖି ପାରିବେ ପ୍ରଶଂସକ। ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Sep 20, 2023, 12:28 PM IST

Updated : Sep 20, 2023, 3:24 PM IST

ICC World Cup Trophy Tour
ରାମୋଜୀ ଫିଲ୍ମ ସିଟିରେ ଟ୍ରଫି

ହାଇଦ୍ରାବାଦ: ଆସୁଛି ବିଶ୍ବକପ ଟ୍ରଫି । ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମସିଟିରେ କ୍ରିକେଟ ବିଶ୍ବକପ୍‌କୁ ଭବ୍ୟ ସ୍ବାଗତ କରାଯିବ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାପୂର୍ବରୁ ବିଶ୍ବକପ ଟ୍ରଫି ଅନେକ ଦେଶ ପରିକ୍ରମା କରିବା ପରେ ଭାରତ ଫେରିଛି । ଏହାପରେ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଟ୍ରଫିକୁ ପରିକ୍ରମା କରାଯାଉଛି । ଏହି କ୍ରମରେ ଆଜି ହାଇଦ୍ରାବାଦ ଆସି ପହଞ୍ଚିଛି ଟ୍ରଫି । ଏହା ରାମୋଜୀ ଫିଲ୍ମ ସିଟି ପହଞ୍ଚିବା ପରେ ଏହାର ଭବ୍ୟ ସ୍ବାଗତ ପାଇଁ ଆୟୋଜନ କରାଯାଇଛି ।

ରାମୋଜୀ ଫିଲ୍ମ ସିଟି ସ୍ଥିତ କ୍ୟାରମ ଗାର୍ଡେନ୍‌ରେ କ୍ରିକେଟ ବିଶ୍ବକପ୍‌ ଟ୍ରଫି ଦେଖି ପାରିବେ ଫ୍ୟାନ୍ସ । ଅପରାହ୍ଣ 4ଟାରୁ 6ଟା ମଧ୍ୟରେ ପ୍ରଶଂସକ ଏଠାରେ କ୍ରିକେଟ ବିଶ୍ବକପ୍‌ ଟ୍ରଫି ଦେଖି ପାରିବେ । ଏଥିପାଇଁ ରାମୋଜୀ ଫିଲ୍ମ ସିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

କେଉଁମାନେ ଟ୍ରଫି ଛୁଇଁ ପାରିବେ ?

ଆଇସିସି ଟ୍ରଫି ହ୍ୟାଣ୍ଡଲିଂ ପ୍ରଟୋକଲ ମୁତାବକ କେବଳ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ କିମ୍ବା ବ୍ୟକ୍ତି ବିଶେଷଙ୍କୁ ହିଁ ବିଶ୍ବକପ୍‌ ଛୁଇଁବାକୁ କିମ୍ବା ଉଠାଇବାକୁ ଅନୁମତି ରହିଛି । ସେହିଭଳି ଯେଉଁମାନେ ପୂର୍ବରୁ ବିଶ୍ବକପ ବିଜୟୀ ହୋଇଥିବେ କିମ୍ବା ଯେଉଁ ଟିମ୍‌ ବିଶ୍ବକପ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଭାଗ ନେଇଥିବ ସେହି ଦଳର ଖେଳାଳିମାନେ ଟ୍ରଫି ଛୁଇଁ ପାରିବେ ।

କେଉଁ ଦଳକୁ ମିଳି ଅରିଜିନାଲ ଟ୍ରଫି ?

ବାସ୍ତବରେ ଅରିଜିନାଲ ଟ୍ରଫି କାହାରିକୁ ପ୍ରଦାନ କରାଯାଏ ନାହିଁ । ଆଇସିସି ବିଶ୍ବକପ୍‌ ଟ୍ରଫି ବିଶ୍ୱ କ୍ରିକେଟର ପୁଞ୍ଜି, ଏହା ଆଇସିସିର ସମ୍ପତ୍ତି ହୋଇ ରହିବ । ଯେଉଁ ଦଳ ବିଶ୍ବକପ ବିଜୟୀ ହେବ ତାହାକୁ କେବଳ ଟ୍ରଫିର ଏକ ନକଲ କିମ୍ବା ରେପ୍ଲିକା ପ୍ରଦାନ କରାଯିବ । ପ୍ରତି ଟୁର୍ଣ୍ଣାମେଣ୍ଟ୍‌ ପରେ ଟ୍ରଫିରେ ବଜୟୀ ଦଳର ନାମ ଖୋଦିତ କରାଯାଏ ।

କିଭଳି ଦେଖାଯାଏ ଟ୍ରଫି ?

ଏହାକୁ ଲଣ୍ଡନ ସ୍ଥିତ ଗାରାଡ ନାମକ ସଂସ୍ଥା ନିର୍ମାଣ କରିଥାଏ । ଏହି କମ୍ପାନୀ ବିଭିନ୍ନ ଗହଣା କାମ ସହ ବ୍ରିଟେନ ରାଣୀଙ୍କ ମୁକୁଟ ବା କ୍ରାଉନ୍‌ ତିଆରି କରେ । ରୂପା ଓ ଗିଲ୍ଟ ମିଶ୍ରଣରେ ପ୍ରସ୍ତୁତ ହୁଏ କ୍ରିକେଟ ବିଶ୍ୱକପ ଟ୍ରଫି । 60 ସେମି ବିଶିଷ୍ଟ ଏହି ଟ୍ରଫିରେ ଏକ ଗୋଲ୍ଡେନ୍‌ ଗ୍ଲୋବ୍‌କୁ ତିନୋଟି ରୂପା କଲମ୍‌ ଉପରେ ରଖା ଯାଇଛି । ୱିକେଟ ଉପରେ ଥିବା ବେଲ୍‌ ସଦୃଶ ଏହି ଟ୍ରଫିକୁ ତିଆରି କରାଯାଇଛି । ତିନୋଟି କଲମ୍‌ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂକୁ ଦର୍ଶାଇ ଥାଏ ।

ବିଶ୍ବକପ୍‌ ଟ୍ରଫିର ଦାମ କେତେ ?

ଆଜିର ଦିନରେ ବିଶ୍ବକପ ଟ୍ରଫିର ଦାମ ହେଉଛି 40 ହଜାର ପାଉଣ୍ଡ । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ 30, 85, 320 ରହିଛି । 11 କେଜି ବିଶିଷ୍ଟ ଏହି ଟ୍ରଫିକୁ ପ୍ଲାଟୋନିକ୍‌ ଡାମେନସନ୍‌ସରେ ତିଆରି କରାଯାଇଛି। ଯାହାଦ୍ବାରା ଯେକୌଣସି କୋଣରୁ ଏହି ନିଆରା ଟ୍ରଫିକୁ ଏହା କ୍ରିକେଟ ବିଶ୍ବକପ ବୋଲି ଜଣା ପଡି଼ବ ବୋଲି କହିଛି ଆଇସିସି ।

କେବେ ତିଆରି ହୋଇଥିଲା ଆଇସିସି ବିଶ୍ବକପ ଟ୍ରଫି ?

ବର୍ତ୍ତମାନର ଟ୍ରଫିକୁ ଆଇସିସି ଗ୍ରହଣ କରି ସାରିଛି। ଏହାପୂର୍ବରୁ 1999ରେ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଡିଜାଇନ କରିବାକୁ ପ୍ରସ୍ତାବ ଆସିଥିଲା। ଏହାପୂର୍ବରୁ ଟ୍ରଫି ସହ କିଛି ନିର୍ଦ୍ଦିଷ୍ଟ ରାଶି ପୁରସ୍କାର ସ୍ବରୂପ ପ୍ରଦାନ କରାଯାଉଥିଲା । ଏହାପରେ ବଶ୍ବକପ୍‌ ଟ୍ରଫି ତିଆରି କରାଯିବ ସହ ଚମ୍ପିଆନ ଦଳକୁ ଏହାର ଏକ ରେପ୍ଲିକା ତିଆରି କରି ପ୍ରଦାନ କରାଯିବାକୁ ଲାଗିଲା ।

ଆଇସିସି ଟ୍ରପି କିଭଳି ଲଞ୍ଚ୍‌ ହୁଏ ?

ଏଥର କିଛି ନୂଆ କରିବାକୁ ଯାଇ ଆଇସିସି ପକ୍ଷରୁ ବିଶ୍ବକପ୍‌ ଟ୍ରଫିକୁ ପୃଥିବୀ ପୃଷ୍ଠରୁ 1 ଲକ୍ଷ 20 ହଜାର ଫୁଟ ଉପରେ ଷ୍ଟ୍ରାଟୋସ୍ଫିୟରରେ ଲଞ୍ଚ୍‌ କରାଯାଇଥିଲା । ଏଠାରେ ତାପମାତ୍ରା 65 ଡିଗ୍ରୀ ରହିଥିବା ବେଳେ ପୃଥିବୀ ପୃଷ୍ଠରୁ ଉପରେ ଏହା ପ୍ରାୟ 99.5 ପ୍ରତିଶତ ଭାସମାନ ଅବସ୍ଥାରେ ରହିଥିଲା । ଏହାପରେ ଗୁଜୁରାଟ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହାକୁ ଲ୍ୟାଣ୍ଡ୍‌ କରା ଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଟ୍ରଫି ଟୁର୍‌ .-

ପୃଥିବୀ ବାହାରକୁ ସୁଦ୍ଧା ଆଇସିସି ବିଶ୍ବକପ୍‌ ଟ୍ରଫି ପରିକ୍ରମା କରାଯାଇ ସାରିଛି । ଏହାଛଡ଼ା ଏହା 18ଟି ରାଷ୍ଟ୍ର ପରିକ୍ରମା କରି ସାରିଲାଣି । ଭାରତ ଫେରିବା ପୂର୍ବରୁ ଏହା କୁଏତ୍‌, ବାହାରିନ୍‌, ମାଲେସିଆ, ଯୁକ୍ତରାଷ୍ଟ୍ର ଆମେରିକା, ନାଇଜେରିଆ, ଉଗାଣ୍ଡା ଓ ଫ୍ରାନ୍ସ ଭଳି ରାଷ୍ଟ୍ର ପରିକ୍ରମା କରି ସାରିଛି ଆଇସିସି ବିଶ୍ବକପ୍‌ ଟ୍ରଫି ।

ଗତ ଜୁନ 27 ତାରିଖରେ ଭାରତରୁ ଆଇସିସି ବିଶ୍ବକପ୍‌ ଟ୍ରଫି ପରିକ୍ରମା ଆରମ୍ଭ ହୋଇଥିଲା । ଏହାପରେ ଏବେ ଏହା ଭାରତ ଫେରିଛି । ଅକ୍ଟୋବର 5 ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟର ମହାକୁମ୍ଭ । ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ । ନଭେମ୍ବର 19 ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ୍‌ର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ଅକ୍ଟୋବର 8 ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ। ଏଥର ଭାରତକୁ ଟୁର୍ଣ୍ଣାମେଣ୍ଟ୍‌ର ଫେବେରେଟ୍‌ ବୋଲି କୁହାଯାଉଛି । 2013 ପରେ ଭାରତ କୌଣସି ICC ଟ୍ରଫି ଜିତି ପାରିନି। ଏଥର 2011 ଇତିହାସ ପୁଣି ଭାରତ ଦୋହରାଇବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ ।

କିଛି ଦିନ ପୂର୍ବରୁ ବିଶ୍ବକପ୍‌ ଟ୍ରଫି ପ୍ୟାରିସର ଏଫିଲ ଟାୱାର ନିକଟରେ ପହଞ୍ଚିଥିଲା। ସେଠାରେ ଏହାକୁ ଉନ୍ମୋଚନ କରିଥିଲେ ବଲିଉଡ୍‌ ଅଭନେତ୍ରୀ ଉର୍ବଶୀ ରୌତେଲା । ପ୍ରଥମ ଥର ପାଇଁ କୌଣସି ଜଣେ ବଲିଉଡ ଅଭିନେତ୍ରୀ ଏହାକୁ ଉନ୍ମୋଚନ କରିଥିଲେ । ବିଶ୍ବକପ୍‌ ପୂର୍ବରୁ ବିସିସିଆଇ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ବର୍ତ୍ତମାନ ସେପ୍ଟମ୍ବର 22 ତାରିଖରୁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଏହାପରେ ଭାରତୀୟ ଦଳ ବିଶ୍ବକପ କ୍ୟାମ୍ପ୍‌ରେ ନଜର ଆସିବେ। ଏଥିପାଇଁ ଦିନିକିଆ ସିରିଜ୍‌ରୁ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

Last Updated : Sep 20, 2023, 3:24 PM IST

ABOUT THE AUTHOR

...view details