ହାଇଦ୍ରାବାଦ:ଆଇସିସି ପୁରୁଷ ବିଶ୍ବକପକୁ ଆଉ ମାତ୍ର 4 ଦିନ ବାକି ରହିଲା । ଏହା ପୂର୍ବରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ଅଭ୍ୟାସ ମ୍ୟାଚ । ଆଜି ଆୟୋଜକ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଗୌହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ରୋହିତ ଶର୍ମାଙ୍କ ନେତୃତ୍ବରେ ଓ୍ବାର୍ମଅପ ମ୍ୟାଚ ଖେଳିବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଅପରାହ୍ନ 2ଟା ସମୟରେ ମ୍ୟାଚ ଆରମ୍ଭ ହେବ ।
ଅନ୍ୟପଟେ ଅଭ୍ୟାସ ମ୍ୟାଚ ପୂର୍ବରୁ ଶୁକ୍ରବାର ଭାରତର ପହଞ୍ଚିଥିଲା ଇଂଲଣ୍ଡ । 38 ଘଣ୍ଟାର ଯାତ୍ରା ପରେ ଗତକାଲି ଅପରାହ୍ନରେ ଗୌହାଟୀରେ ପହଞ୍ଚିଥିଲା ଇଂଲଣ୍ଡ ଦଳ । ଲମ୍ବା ସମୟ ଧରି ଯାତ୍ରା କରିବା ପରେ କ୍ଲାନ୍ତ ଅନୁଭବ କରିଥିଲେ ଖେଳାଳି । ଆସନ୍ତା 3 ତାରିଖରେ ଭାରତ ଦ୍ବିତୀୟ ଅଭ୍ୟାସ ମ୍ୟାଚ ଖେଳିବ । ଆଜି ଆରମ୍ଭ ହେବାକୁ ଥିବା ଅଭ୍ୟାସ ମ୍ୟାଚରେ ଭାରତୀୟ ଖେଳାଳିଙ୍କ ଉପରେ ସମସ୍ତ ନଜର ରହିଛି । ବିଶେଷ କରି ରୋହିତ, କୋହଲି, ଶୁବମନ, ଶ୍ରେୟାସ ଆୟର ଓ ଯାଦବଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର । ଯଦି ଆଜିର ଅଭ୍ୟାସ ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ବିଶ୍ବକପରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ବଢିବ । ଆଜି ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟ ଅଭ୍ୟାସ ମ୍ୟାଚ ଖେଳିବେ ।