ଅକଲାଣ୍ଡ:ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ODI ବିଶ୍ବକପ ୨୦୨୨ରେ( ICC Women's World Cup 2022) ଟିମ ଇଣ୍ଡିଆର ଆଉ ଏକ ପରାଜୟ । ପ୍ରଥମେ ବ୍ୟାଟିଂ କରି ୨୭୭ ରନ୍ କରିବା ସତ୍ତ୍ବେ ମିତାଲି ରାଜଙ୍କ ନେତୃତାଧୀନ ଭାରତୀୟ ଟିମ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ୪୯.୩ ଓଭରରେ ଭାରତ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟକୁ ୪ ୱିକେଟ ହରାଇ ହାସଲ କରିନେଇଥିଲା । ଫଳରେ ବିଶ୍ବକପ ୨୦୨୨ରେ ୫ଟି ମ୍ୟାଚ୍ରୁ ୫ଟି ବିଜୟ ସହିତ ଅପରାଜେୟ ରହି ଟୁର୍ନାମେଣ୍ଟର ପ୍ରଥମ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ମେଗ ଲାନିଙ୍ଗ୍ଙ୍କ ଟିମ ।
ଶନିବାର ଇଡେନ ପାର୍କ ଅକଲାଣ୍ଡ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୭୮ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ଟିମ, ମହିଳା ବିଶ୍ବକପ ମ୍ୟାଚ୍ରେ ନିଜର ସଫଳତମ ରନଚେଜ୍ର ରେକର୍ଡକୁ ଭଙ୍ଗ କରିଛି ।
କ୍ୟାପେଟନ ମେଗ ଲାନିଙ୍ଗ୍ ୯୭ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ । ଓପନର ଆଲେସା ହେଲି ୭୨ ଓ ରାଚେଲ ହେଇନ୍ସ ୪୩ ରନ୍ର ଇଂନିସ ଖେଳିଥିଲେ । ଦୁଇ ଅଷ୍ଟ୍ରେଲୀୟ ଓପନର ପ୍ରଥମ ୱିକେଟ ଯୋଡିରେ ୧୨୧ ରନର ଭାଗିଦାରୀ କରି ବିଜୟର ମୂଳଦୁଆ ପକାଇଥିଲେ । ଏଲିସ ପେରୀ ୨୮ ଓ ବେଥ ମୁନି ଅପରାଜିତ ୩୦ ରନ୍ର ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ ।