କେପଟାଉନ:ଦକ୍ଷିଣ ଆଫ୍ରିକାର କେପଟାଉନରେ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ଆଜି (ସୋମବାର) ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ପ୍ରଥମ ଦୁଇ ମ୍ୟାଚ ଜିତିବା ପରେ ତୃତୀୟ ମୁକାବିଲାରେ ଇଂଲଣ୍ଡଠୁ ପରାସ୍ତ ହୋଇଥିଲା ଭାରତ । ଆଜି ଆୟର୍ଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଶେଷ ଗ୍ରୁପ ମ୍ୟାଚ । ଏହି ମ୍ୟାଚରେ ଭାରତକୁ ଏକ ବଡ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ । ଆୟର୍ଲାଣ୍ଡ ବିଜୟ ଖାତା ଖୋଲି ପାରିନାହିଁ । ଆଜିର ମୁକାବିଲା ଜିତି ବିଜୟ ଖାତା ଖୋଲିବା ଲକ୍ଷ୍ୟ ରଖିଛି ଦଳ । ଅନ୍ୟପଟେ ଲଗାତାର 3ଟି ମ୍ୟାଚ ହାରିବା ପରେ ସେମି ଦୌଡରୁ ଆୟର୍ଲାଣ୍ଡ ବାଦ ପଡିଛି ।
ଭାରତ ଇଂଲଣ୍ଡ ବିପକ୍ଷରେ କରିଥିବା ତ୍ରୁଟିକୁ ସୁଧାରି ଗ୍ରାଉଣ୍ଡକୁ ଓହ୍ଲାଇବାକୁ ପଡିବ । ଦଳର ବୋଲିଂ ବିଭାଗ ଶୃଙ୍ଖଳିତ ଅଛି ମାତ୍ର ବ୍ୟାଟିଂ ବିଭାଗରେ ସନ୍ତୁଳନ ଆଣିବାକୁ ପଡିବ । ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସୁଧାର ଆଣିଲେ ବିଜୟ ସହଜ ହେବ । ଆୟର୍ଲାଣ୍ଡ ବିପକ୍ଷରେ ଭାରତକୁ ଆଜି ଏକ ବଡ ବିଜୟ ହାସଲ କରିବାକୁ ହେବ । ତେବେ ଯାଇ ସେମି ଫାଇନାଲରେ ପ୍ରବେଶ କରିବା ନିଶ୍ଚିନ୍ତ ହେବ ।
ଇଂଲଣ୍ଡ ବିପକ୍ଷରେ ଉପ ଅଧିନାୟିକା ସ୍ମୃତି ମାନ୍ଧାନା ଓ ରିଚା ଘୋଷଙ୍କ ଭଲ ପାରି ଦେଖିବାକୁ ମିଳିଥିଲା । ଆଜିର ମୁକାବିଲାରେ ମଧ୍ୟ ତାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ସେହିପରି ବୋଲିଂରେ ରେଣୁକା ସିଂହ 5 ୱିକେଟ ନେଇଥିଲେ ଆଜି ମଧ୍ୟ ତାଙ୍କ ଘାତର ବୋଲିଂ ଦେଖିବାକୁ ମିଳିପାରେ ।
ପ୍ରକାଶ ଥାଉ କି, ଭାରତ ତାର ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିଥିଲା । ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା ଦଳ । ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମି ନିକଟତର ହୋଇଥିଲା । ମାତ୍ର ଶନିବାର ଅନୁଷ୍ଠିତ ମୁକାବିଲାରେ ଇଂଲଣ୍ଡଠୁ 11ରନରେ ପରାସ୍ତ ହୋଇଥିଲା ଭାରତ । ଭାରତ 2ଟି ବିଜୟ ଓ ଗୋଟିଏ ପରାଜୟ ସହ 4 ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି । ଇଂଲଣ୍ଡ ହ୍ୟାଟ୍ରିକ ବିଜୟ ସହ 6 ପଏଣ୍ଟ ପାଇ ଗ୍ରୁପ ବିର ଟେବୁଲ ଶୀର୍ଷରେ ରହିଛି ।