କେପଟାଉନ:ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତୀୟ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ରଥମ ମୁକାବିଲାରେ ପାକିସ୍ତାନ ଓ ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଟିମ ଇଣ୍ଡିଆ କ୍ରମାଗତ ବିଜୟ ହାସଲ କରିଛି । ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ଅନୁଷ୍ଠିତ ମ୍ୟାଚରେ ଭାରତ 6 ୱିକେଟରେ ବିଜୟ ଲାଭ କରିଛି । ଦିପ୍ତୀ ଶର୍ମା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ଏହା ସହ ପ୍ରଥମ ଭାରତୀୟ ଭାବେ ଦିପ୍ତୀ ଶର୍ମା 100 ୱିକେଟ ହାସଲ କରିଛନ୍ତି ।
କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିଲା ମ୍ୟାଚ । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ । ଆରମ୍ଭରୁ ହିଁ ବିପର୍ଯ୍ୟୟର ଶିକାର ହୋଇଥିଲା ଇଣ୍ଡିଜ ଦଳ । ଅଧିନାୟିକା ମାଥ୍ୟୁସ 2 ରନ କରି ସଅଳ ପାଭିଲୟନ ଫେରିଥିଲେ । ପୂଜା ବସ୍ତ୍ରାକାରଙ୍କ ଶିକାର ହୋଇଥିଲେ ମାଥ୍ୟୁସ । କାମ୍ପବେଲ ଓ ଟେଲର ସ୍ଥିତି ସମ୍ଭାଳି ଖେଳିଥିଲେ । ମାତ୍ର 13 ତମ ଓଭରରେ ଦଳର ଆଉ ଏକ ୱିକେଟ ପତନ ହୋଇଥିଲା ।
ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ସିମେନ କାମ୍ପବେଲ । 36 ବଲ ଖେଳି 30 ରନ କରି ଆଉଟ ହୋଇଥିଲେ । ପରେ ପରେ ପୁଣି 42 ରନ କରିଥିବା ଷ୍ଟାଫିନ ଟେଲରଙ୍କୁ ଏଲବିଡବ୍ଲୁ କରିଥିଲେ ଦିପ୍ତୀ । 14 ତମ ଓଭରରେ ଚିନେଲେ ହେନେରୀଙ୍କ ରନ ଆଉଟ କରିଥିଲେ ସ୍ମୃତି ମାନ୍ଧନା । ଏହାପରେ ରେଣୁକା ଶର୍ମା ସାବିକାଙ୍କୁ ଆଉଟ କରିଥିଲେ । ପରେ ପରେ ପୁଣି ଦିପ୍ତୀ ଶର୍ମାଙ୍କ ଶିକାର ହୋଇଥିଲେ ଅଫେ ଫ୍ଲେଚର ।
ଦଳୀୟ ସ୍କୋର 1115ରେ ଦଳର 6 ଟି ୱିକେଟ ପତନ ହୋଇଥିଲା । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 118 ରନ କରିଥିଲା ଇଣ୍ଡିଜ । ଭାରତକୁ 119 ରନ ବିଜୟ ଲକ୍ଷ୍ୟ ମିଳିଥିଲା । ଦିପ୍ତୀ ଶର୍ମା 15 ରନ ଦେଇ 3 ୱିକେଟ ନେଇ ପ୍ରଥମ ଭାରତୀୟ ଭାବେ ଟି-20ରେ 100 ୱିକେଟ ହାସଲ କରିଥିଲେ । ଏହା ସହିତ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ପୂଜା ବସ୍ତ୍ରାକାର 21 ରନ ଦେଇ ଗୋଟିଏ ୱିକେଟ ହାସଲ କରିଥିଲେ ।