ହାଇଦ୍ରାବାଦ: ମହିଳା ଟି୨୦ ବିଶ୍ବକପ ନେଇ ନିଜର ମତାମତ ରଖିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟିକା ମିତାଲି ରାଜ । ସେ କହିଛନ୍ତି ମହିଳା ଟି୨୦ ବିଶ୍ବକପରେ ଶୀର୍ଷ କ୍ରମର ପ୍ରଦର୍ଶନ ଉପରେ ଟିମ ଇଣ୍ଡିଆର ବିଜୟ ନିର୍ଭର କରେ । ଶୀର୍ଷକ୍ରମ ଯେତେ ଭଲ ପ୍ରଦର୍ଶନ ଦେଖାଇବ ଦଳର ବିଜୟ ପ୍ରତିଶତ ଅଧିକ ରହିବ । ଆସନ୍ତା୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ICC ମହିଳା ଟି୨୦ ବିଶ୍ବକପ । ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ଏହି ମ୍ୟାଚ ଫେବୃଆରୀ ୧୨ ତାରିଖରେ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ ୱମେନ୍ ଇନ୍ ବ୍ଲୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।
Womens T20 World Cup: ମିତାଲି କହିଲେ ଶୀର୍ଷକ୍ରମ ଉପରେ ନିର୍ଭର କରେ ଟିମ୍ ଇଣ୍ଡିଆର ବିଜୟ - ମିତାଲି ରାଜ
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟିକା ମିତାଲି ରାଜ କହିଛନ୍ତି ମହିଳା ଟି୨୦ ବିଶ୍ବକପରେ ଶୀର୍ଷ କ୍ରମର ପ୍ରଦର୍ଶନ ଉପରେ ଟିମ୍ ଇଣ୍ଡିଆର ବିଜୟ ନିର୍ଭର କରେ । ଅଧିକ ପଢନ୍ତୁ
ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ଭାରତର ପୂର୍ବତନ ଅଧିନାୟିକା ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଏକ ସ୍ତମ୍ଭରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ କେମିତି ରହିବା ଦରକାର ବୋଲି ସେଥିରେ ଉଲ୍ଲେଖ କରିଛନ୍ତି । ସେ ସ୍ତମ୍ଭରେ ଲେଖିଛନ୍ତି, "ଟିମ୍ ଇଣ୍ଡିଆର ବିଜୟ ଶୀର୍ଷକ୍ରମ ଉପରେ ନିର୍ଭର କରେ । ଟିମ୍ ଇଣ୍ଡିଆର ସମସ୍ତ ପ୍ଲେୟର ଏବେ ଦମଦାର ଫର୍ମରେ ଅଛନ୍ତି । ଅଧିନାୟକ ହରମନପ୍ରୀତ କୌର ଏବେ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି । ହେଲେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡକୁ ପରାଜୟର ମୁହଁ ଦେଖାଇବା ପାଇଁ ଦଳର ଅନ୍ୟ ବ୍ୟାଟରଙ୍କୁ ମଧ୍ୟ ବଡ ଇନିଂସ ଖେଳିବାକୁ ପଡିବ ।" ଭାରତୀୟ ଟିମ୍ ଫେବୃଆରୀ ୧୨ ତାରିଖରେ ନିଜର ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଭେଟିବ । ଦଳ ଏବେ ଦମଦାର ଫର୍ମରେ ରହିଛି । ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଉପବିଜେତା ରହିଥିଲା । ତେବେ ଟିମ୍ ଇଣ୍ଡିଆକୁ ତ୍ରିରାଷ୍ଟ୍ରୀୟ ସିରିଜରେ ନିଜର ତ୍ରୁଟିକୁ ସୁଧାରିବାର ସୁଯୋଗ ମିଳିଥିଲା । ନିଜର ପୁରୁଣା ତ୍ରୁଟିକୁ ସୁଧାରି ଦଳ ଟି୨୦ ବିଶ୍ବକପରେ ମଇଦାନକୁ ଓହ୍ଲାଇବ ।
ତେବେ ଟିମ୍ ଇଣ୍ଡିଆର ସଦସ୍ୟଙ୍କ ବାବଦରେ ମିତାଲି କହିଛନ୍ତି ଯେ, "ଅନୁଭବୀ ବୋଲର ଶିଖା ପାଣ୍ଡେଙ୍କୁ ଛାଡିଦେଲେ ଫାଷ୍ଟ ବୋଲରଙ୍କ ଭୂମିକା ଅନ୍ୟ ବୋଲର ଠିକ୍ ଭାବରେ ତୁଲାଇପାରିବେ ନାହିଁ । ବୋଲରଙ୍କୁ ପ୍ରଶିକ୍ଷଣ ସହ ପରୀକ୍ଷଣ କରାଯିବା ଦରକାର । ତ୍ରୁଟିର ସୁଧାର ଆସିବା ଦରକାର । ଏହା ସହିତ ଆଶା କରାଯାଉଛି ଅଣ୍ଡର ୧୯ ଟି-୨୦ ବିଶ୍ବକପ ବିଜେତା ଦଳର ସଦସ୍ୟ ସେଫାଳି ବର୍ମା ଏବଂ ରିଚା ଘୋଷ ଉଭୟ ସେମାନଙ୍କର ଅଭିଜ୍ଞତାକୁ ଏଠାରେ ବ୍ୟବହାର କରିବେ । ବିଦେଶ ମାଟିରେ ସେଫାଳି ବର୍ମାଙ୍କର ଖେଳିବାର ବେଶ୍ ଅଭିଜ୍ଞତା ରହିଛି । ଏହା ସହିତ ତାଙ୍କୁ ବେଶ୍ ଭଲଭାବରେ ଜଣା ଅଛି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳୀୟ ଚାପ ସହିତ କିଭଳି ମ୍ୟାଚ୍ର ସ୍ଥିତିକୁ ସମ୍ଭାଳିବାକୁ ପଡିଥାଏ ।" ମିତାଲି ଆହୁରି ମଧ୍ୟ କହିଛନ୍ତି "ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ଏବେ ଜବରଦସ୍ତ ଫର୍ମରେ ରହିଛି । ଯାହା ଦଳକୁ ଟାଇଟଲ ହାତେଇବାର ସହାୟକ ହେବ । କାରଣ ଷଷ୍ଠ ଥର ପାଇଁ ଟାଇଟଲ ହାତେଇବା ନେଇ ଲକ୍ଷ୍ୟ ରଖିଛି କଙ୍ଗାରୁ ଟିମ୍ । ଅଷ୍ଟ୍ରେଲିଆକୁ ହରାଇବା ଏତେ ସହଜ ନୁହେଁ । କାରଣ ତାଙ୍କର ବ୍ୟାଟିଂ ଲାଇନଅପ ବହୁତ ମଜଭୁତ ରହିଛି ।"