ହାଇଦ୍ରାବାଦ: ପୁଣି ଏକ ବିଶ୍ବକପ୍ ନେଇ ସେଡ୍ୟୁଲ ଜାରି କଲା ଆଇସିସି । କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ଖୁସି ଖବର । ୨୦୨୪ ଆଇସିସି U-19 ପୁରୁଷ କ୍ରିକେଟ ବିଶ୍ବକପ୍ ପାଇଁ ସେଡ୍ୟୁଲ ଜାରି କରିଛି ଆଇସିସି । ଏହି ଆଇସିସି ଇଭେଣ୍ଟ ଖେଳିବାକୁ ଥିବା ୧୬ ଦଳ ପାଇଁ ଏହି ସେଡ୍ୟୁଲ ଜାରି ହୋଇଛି । ୨୦୨୪ ଜାନୁଆରୀ ୧୯ରେ ଉଦ୍ଘାଟନୀ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ଭେଟିବ ଆୟୋଜକ ଦକ୍ଷିଣ ଆଫ୍ରିକା । ସେହିଭଳି ୨୦ ଜାନୁଆରୀରେ ବ୍ଲୋଏମଫୋଣ୍ଟେନ ଠାରେ ୨୦୨୦ U-19 ବିଶ୍ବକପ୍ ବିଜେତା ବାଂଲାଦଶ ସହ ପ୍ରଥମ ମ୍ୟାଚ୍ ଖେଳି ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।
ଆଇସିସି ଜାରି କରିଥିବା ସେଡ୍ୟୁଲ ଅନୁସାରେ U-19 ପୁରୁଷ କ୍ରିକେଟ୍ ବିଶ୍ବକପ୍ରେ ମୋଟ ୪୧ଟି ମ୍ୟାଚ୍ ଖେଳାଯିବ । ଆୟୋଜକ ଦକ୍ଷିଣ ଆଫ୍ରିକାର ୫ଟି ଭେନ୍ୟୁରେ ଏହି ସମସ୍ତ ମ୍ୟାଚ୍ ଖେଳାଯିବ । ଜାନୁଆରୀ ଓ ଫେବୃଆରୀ ମାସ ମଧ୍ୟରେ ତିନି ସପ୍ତାହରୁ ଅଧିକ ସମୟ ଧରି ଏହି ହାଇପ୍ରୋଫାଇଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥର ୧୯ ବର୍ଷରୁ କମ୍ ବର୍ଗର ବିଶ୍ବକପ୍ର ୧୫ତମ ସଂସ୍କରଣ ଖେଳାଯିବ । ୱେଷ୍ଟ୍ଇଣ୍ଡିଜରେ ଖେଳାଯାଇଥିବା ୨୦୨୨ ସଂସ୍କରଣରେ ଭାରତ ଚମ୍ପିଆନ୍ ହୋଇଥିଲା । ଏଥର ଗ୍ରୁପ-ଏ'ରେ ସ୍ଥାନ ପାଇଛି ଟିମ୍ ଇଣ୍ଡିଆ । ଏହି ଗ୍ରୁପ୍ରେ ଭାରତ ସହିତ ରହିଛନ୍ତି ବାଂଲାଦେଶ, ଆୟର୍ଲ୍ୟାଣ୍ଡ ଏବଂ ୟୁଏସ୍ । ୫ ଥର U-19 ବିଶ୍ବକପ୍ ଟାଇଟଲ ଜିତିଥିବା ଭାରତ ଏଥର ୬ଷ୍ଠ ଥର ଚମ୍ପିଆନ୍ ହୋଇ ରେକର୍ଡ କରିବା ଲକ୍ଷ୍ୟରେ ରହିଛି ।