ନୂଆଦିଲ୍ଲୀ: ବୁଧବାର ସଦ୍ୟତମ ଆଇସିସି ରାଙ୍କିଂ ପ୍ରକାଶ କରିଛି ଆଇସିସି । ସବୁ ଫର୍ମାଟ୍ରେ ଦେଖିବାକୁ ମିଳିଛି ଟିମ୍ ଇଣ୍ଡିଆର ଦବ୍ଦବା । ତେବେ ସବୁଠାରୁ ବଡ଼କଥା ହେଉଛି ସଦ୍ୟତମ ପ୍ରକାଶିତ ଆଇସିସି ଟି୨୦ ରାଙ୍କିଂରେ ଟିମ୍ ଇଣ୍ଡିଆର ଯୁବ ଲେଗ୍ ସ୍ପିନର ରବି ବିଷ୍ଣୋଇ କମାଲ କରିଛନ୍ତି । ଆଇସିସି ବୋଲିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି ବିଷ୍ଣୋଇ । ଏହି ଯୁବ ବୋଲର ଆଫଗାନିସ୍ତାନର ତାରକା ସ୍ପିନର ରଶିଦ ଖାନଙ୍କୁ ପଛରେ ପକାଇ ଦେଇଛନ୍ତି । ଆଫଗାନିସ୍ତାନର ଅଭିଜ୍ଞ ସ୍ପିନର ରଶିଦ ଖାନଙ୍କୁ ପଛରେ ପକାଇ No.1 ବୋଲର ହୋଇଛନ୍ତି ଏହି ଭାରତୀୟ ଯୁବ ସ୍ପିନର ।
ନିକଟରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ରବି ବିଷ୍ଣୋଇ । ସମସ୍ତ ୫ ମ୍ୟାଚ୍ ଖେଳି ସେ ୯ ୱିକେଟ୍ ଅକ୍ତିଆର କରିଥିଲେ । ଗତ ସପ୍ତାହରେ ପ୍ରକାଶିତ ରାଙ୍କିଂରେ ବିଷ୍ଣୋଇ ୬୬୫ ରେଟିଂ ପଏଣ୍ଟ୍ ସହ ୫ମ ସ୍ଥାନରେ ରହିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର ରେଟିଂ ପଏଣ୍ଟ ୬୯୯ ରହିଛି । ଏଭଳି କରି ସେ ଆଫଗାନିସ୍ତାନର ଭେଟେରାନ ସ୍ପିନର ରସିଦ ଖାନଙ୍କୁ ପଛରେ ପକାଇଛନ୍ତି । ରଶିଦ ଏବେ ୬୯୨ ପଏଣ୍ଟ ସହିତ ଦ୍ବିତୀୟକୁ ଖସିଯାଇଛନ୍ତି । ପ୍ରକାଶଯୋଗ୍ୟ, ୨୦୨୨ ଫେବୃଆରୀରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ରଖିଥିଲେ ବିଷ୍ଣୋଇ । ଏବେ ପର୍ଯ୍ୟନ୍ତ ସେ ମୋଟ ୨୨ଟି ଟି୨୦ ମ୍ୟାଚ୍ ଖେଳି ୩୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।
ଆଇସିସି ଟି୨୦ ରାଙ୍କିଂ: ବୁଧବାର ଆଇସିସି ଜାରି କରିଥିବା ପୁରୁଷ ଟି୨୦ ଟିମ୍ ରାଙ୍କିଂରେ ଶୀର୍ଷରେ ରହିଛି ଭାରତ । ସେହିଭଳି ବ୍ୟାଟିଂ ରାଙ୍କିଂରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ସୂର୍ଯ୍ୟକୁମାର ଯାଦବ । ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ୱାଡ୍ ଟପ୍ ୧୦ ବ୍ୟାଟରଙ୍କ ମଧ୍ୟରେ ୭ମରେ ରହିଛନ୍ତି । ବୋଲରଙ୍କ ତାଲିକାରେ ଟପ୍ ୧୦ରେ ଏକମାତ୍ର ବିଷ୍ଣୋଇ ଶୀର୍ଷରେ ରହିଥିବାବେଳେ ଅଲରାଉଣ୍ଡର ତାଲିକାରେ ୩ୟରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।